ଭୁବନେଶ୍ବର: ଆଜିଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ରୁ ୭ ମଇ ପର୍ଯ୍ୟନ୍ତ ତିନି ଦିନିଆ ଗସ୍ତରେ ଗୁଜରାଟର ଉତ୍ପାଦନ ଭିତ୍ତିଭୂମି ସହିତ ସମ୍ପର୍କକୁ ମଜବୁତ କରିବା ଏବଂ ଓଡ଼ିଶାର ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ରଗୁଡ଼ିକରେ ନୂତନ ସୁଯୋଗ ସୃଷ୍ଟି କରିବା ନେଇ ଉଦ୍ଦେଶ୍ୟ ରହିଛି । ବୟନଶିଳ୍ପ, ରାସାୟନିକ ପଦାର୍ଥ ଏବଂ ପେଟ୍ରୋକେମିକାଲ୍ସ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ ଏବଂ ଔଷଧ ଉପରେ ଧ୍ୟାନ ଦେଇ, ଏହି ଗସ୍ତ ଭାରତର ପଶ୍ଚିମ କ୍ଷେତ୍ରରୁ ନିବେଶ ଆକାଂକ୍ଷା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସେଠାରେ ସେ ଚାରିଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜ୍ନେସ୍ ଲିଡର୍ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୁଝାମଣାପତ୍ର (ଏମ୍ଓୟୁ) ସ୍ଵାକ୍ଷର ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଯିବେ ।


