ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ପୋଲିସ ନିର୍ଯାତନା ଯୋଗୁଁ ସୁବଳୟା ଗ୍ରାମର ଦିବ୍ୟାଙ୍ଗ ଦିନମଜୁରିଆ ସୁଶାନ୍ତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ। ଏହି ଅମାନୁଷିକ ଘଟଣାରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରେରଣ କରିଛନ୍ତି।
ସାଂସଦ ଡ. ପାଣିଗ୍ରାହୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ଗତ ମେ’ ୨୫ ତାରିଖରେ ପୋଲିସ ସୁଶାନ୍ତଙ୍କୁ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନଥାଇ ଥାନାକୁ ଉଠାଇ ଆଣି ସାତ ଦିନ କାଳ ବେଆଇନ ଭାବେ ଅଟକ ରଖିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ଗରମ ପାଣି ଢାଳି ‘ଥାର୍ଡ ଡିଗ୍ରୀ’ ନିର୍ଯାତନା ଦେଇଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ଓ ମାନବାଧିକାରର ଚରମ ଉଲ୍ଲଂଘନ। ଗୁରୁତର ଅବସ୍ଥାରେ ତାଙ୍କୁ ଛଡ଼ାଯିବା ପରେ ବ୍ରହ୍ମପୁର MKCG ମେଡିକାଲରେ ତାଙ୍କର ମୃତ୍ୟୁ ଘଟିବା ସମଗ୍ର ସଭ୍ୟ ସମାଜକୁ ଆନ୍ଦୋଳିତ କରିଛି।
ଏହି ସଂଘାତିକ ମାମଲାରେ ସାଂସଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବି ସମୂହ ଉପସ୍ଥାପନ କରିଛନ୍ତି:
କଠୋର କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ: କେବଳ ନିଲମ୍ବନ (Suspension) କିମ୍ବା ବଦଳିରେ ସନ୍ତୁଷ୍ଟ ନହୋଇ, ସମ୍ପୃକ୍ତ ଆଇପିଏସ୍ (ଟ୍ରେନି), ଏସ.ଆଇ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ସହ ହାଜତ ନିର୍ଯାତନା ମାମଲା ରୁଜୁ କରାଯାଇ ତୁରନ୍ତ ଗିରଫ କରାଯାଉ।
ସମୟସୀମା ଭିତ୍ତିକ HRPC ତଦନ୍ତ: ମାନ୍ୟବର ଡିଜିପିଙ୍କ ଦ୍ଵାରା ନିର୍ଦ୍ଦେଶିତ ମାନବାଧିକାର ସୁରକ୍ଷା ସେଲ୍ (HRPC) ତଦନ୍ତକୁ ସମ୍ପୂର୍ଣ୍ଣ ସ୍ଵଚ୍ଛ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯାଉ, ଯଦ୍ୱାରା କୌଣସି ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିବ ନାହିଁ।
ଆର୍ଥିକ ସହାୟତା ଓ ଥଇଥାନ: ମୃତ ସୁଶାନ୍ତ ସାହୁ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତେଣୁ ତାଙ୍କ ବିଧବା ପତ୍ନୀ ମମଜିନା ପ୍ରଧାନ ଏବଂ ପରିବାରକୁ ତୁରନ୍ତ ସରକାରଙ୍କ ତରଫରୁ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ଓ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦିଆଯାଉ।
ପୋଲିସ ବ୍ୟବସ୍ଥାରେ ସଂସ୍କାର: ବିଶେଷ କରି ଭିନ୍ନକ୍ଷମ (PwD) ବ୍ୟକ୍ତିମାନଙ୍କ ପ୍ରତି ପୋଲିସର ବ୍ୟବହାର କିଭଳି ସମ୍ବେଦନଶୀଳ ଓ ମାନବିକ ରହିବ, ସେନେଇ ସରକାର ସମସ୍ତ ଥାନା ପାଇଁ ଏକ କଡ଼ା ନିର୍ଦ୍ଦେଶନାମା (SOP) ଜାରି କରନ୍ତୁ।
ସାଂସଦ ଡ. ପାଣିଗ୍ରାହୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି ଯେ, ସମ୍ବେଦନଶୀଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜଣେ ଗରିବ, ଅସହାୟ ଦିବ୍ୟାଙ୍ଗଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବେ ଏବଂ ‘ଆଇନ ରକ୍ଷକ ସାଜି ଭକ୍ଷକ ସାଜିଥିବା’ ଦୋଷୀ କର୍ମଚାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବେ।


