ଭୁବନେଶ୍ବର : ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ହତ୍ୟା ମାମଲାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC)ର ତଦନ୍ତ ଆହୁରି ତୀବ୍ର ହୋଇଛି। ଘଟଣାର ଚତୁର୍ଥ ଦିନରେ ମଧ୍ୟ ଏନଏଚଆରସି ଟିମ୍ ପକ୍ଷରୁ ଲଗାତାର ତନାଘନା ଜାରି ରହିଛି। ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ବାଲିଅନ୍ତା ଥାନାର ଆଇଆଇସିଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଉଛି। ଘଟଣାର ସମ୍ପୂର୍ଣ୍ଣ ଘଟଣାକ୍ରମ, ପ୍ରାଥମିକ ତଦନ୍ତ ରିପୋର୍ଟ ଓ ପୁଲିସର ଅଭିଯୋଗ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ଏନଏଚଆରସି ଅଧିକାରୀମାନେ ଗଭୀର ତଥ୍ୟ ସଂଗ୍ରହ କରୁଛନ୍ତି।
ଏହି ହତ୍ୟା ମାମଲାରେ ପୂର୍ବରୁ ଉଠିଥିବା ବିଭିନ୍ନ ସନ୍ଦେହ, ପ୍ରମାଣ ସଂଗ୍ରହରେ ଦେଖାଦେଇଥିବା ଅସଙ୍ଗତି ଏବଂ ତଦନ୍ତର ଗତିକୁ ନେଇ ମାନବାଧିକାର ଆୟୋଗ ଗୁରୁତର ଭାବେ ବିଚାର କରୁଥିବା ଜଣାପଡ଼ିଛି।
ରାଜ୍ୟ ଅତିଥି ଭବନରେ ଚାଲିଥିବା ଏହି ପଚରାଉଚରା ଆଗାମୀ ଦିନରେ ମାମଲାର ତଦନ୍ତକୁ ନୂଆ ଦିଗ ଦେଇପାରେ ବୋଲି ଆଶା କରାଯାଉଛି। ଏପରିକି, ଏନଏଚଆରସିର ସକ୍ରିୟ ହସ୍ତକ୍ଷେପ ପରେ ସମଗ୍ର ରାଜ୍ୟରେ ଏହି ମାମଲାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ପୀଡ଼ିତା ଯୁବତୀ ଏବଂ ମିନି ଟ୍ରକ ଚାଳକଙ୍କୁ ଜେରା ହୋଇଛି।


