ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବିଦୁକୁଡ଼ିଆ ଗ୍ରାମରେ କାଳବୈଶାଖୀଜନିତ ବଜ୍ରାଘାତରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱର୍ଗତ ବଂଶୀଧର ପାତ୍ରଙ୍କ ୩୭ ବର୍ଷୀୟା ଝିଅ ଝୁନୁ ପାତ୍ର।
ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ସମୟରେ ଘର ବାହାରେ ଚରୁଥିବା ଗାଈକୁ ଆଣିବାକୁ ଯାଇଥିବାବେଳେ ଝୁନୁ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜନ୍ମରୁ ଭିନ୍ନକ୍ଷମ ଥିବା ଝୁନୁ କଥା କହିବା ଓ ଶୁଣିବାରେ ଅସମର୍ଥ ଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବାବେଳେ ପରିବାର ପକ୍ଷରୁ ସରକାରୀ ସହାୟତା ଦାବି କରାଯାଇଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।


