Categories
ଆଜିର ଖବର ରାଜ୍ୟ ଖବର

ବଜ୍ରାଘାତରେ ମହିଳାଙ୍କ ବିୟୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜଗନ୍ନାଥ ପ୍ରସାଦ ବ୍ଳକ ତାରାସିଂ ଥାନା ଅନ୍ତର୍ଗତ ଦିଗାମ୍ବର ପଲ୍ଲୀ ଗ୍ରାମରେ ୫୫ ବର୍ଷିୟା କନକ ନାୟକ ନାମ୍ନୀ ଜଣେ ମହିଳାଙ୍କର ବଜ୍ରାଘାତରେ ବିୟୋଗ ହୋଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ମୃତ ମହିଳା ଜଣଙ୍କ ଆଜି ଅପରାହ୍ନରେ ବିଲରେ ଘାସ ବାଛୁଥିଲା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଓ ତାଙ୍କ ଉପରେ ବଜ୍ରାଘାତ ମାଡ଼ ହେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କର ବେକ କଳା ପଡ଼ିଯିବା ସହ ଶରୀରର ଅନ୍ୟାନ୍ୟ ସ୍ଥାନରେ ଛାଲ ଛାଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ପକ୍ଷରେ ପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମରେ ରୋଷେଇ କରୁଥିବା ସମୟରେ ଶାଶୁ ଓ ବୋହୁଙ୍କ ଉପରେ ବଜ୍ରାଘାତ ମାଡ଼ ହେବାରୁ ସେମାନେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଜ୍ରାଘାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ, ଶୋକାକୁଳ ପରିବେଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ(22) ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଭିକାରି ଶବର ଙ୍କ ପୁତ୍ର ଅମର ଶବର(12)।

ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରେ ବଜ୍ରାଘାତ ହୋଇଥିଲା। ଉକ୍ତ ସମୟରେ ଅରାଙ୍ଗ ଗ୍ରାମ ବିଲରେ ରଞ୍ଜତ ତାଙ୍କ ୩ ସାଙ୍ଗଙ୍କ ସହ ଥିବା ବେଳେ ସମସ୍ତେ ବଜ୍ରାଘାତ ର ଶିକାର ହୋଇଥିଲେ। ଫଳରେ ରଞ୍ଜତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ କଦମଝୋଲା ଗ୍ରାମର ଅମର ମଧ୍ୟ ସେହି ସମୟରେ ବର୍ଷା ନିମନ୍ତେ ସଡ଼କ କଡରେ ଛିଡା ହୋଇଥିବା ବେଳେ ସେ ମଧ୍ୟ ବଜ୍ରାଘାତ ର ଶିକାର ହୋଇଥିଲେ।

ପରିବାରବର୍ଗ ତାଙ୍କୁ ଗୁରୁତର ଭାବେ ବାଣପୁର ମେଡିକାଲ କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରାଘାତ ଯୋଗୁଁ ଦୁଇ ଦୁଇ ଟି ଅମୁଲ୍ୟ ଜୀବନ ଚାଲିଯାଇଥିବା ବେଳେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବାଣପୁର ପୋଲିସ ମେଡିକାଲ ପରିସରରେ ଉପସ୍ଥିତ ଅଛନ୍ତି। ତେବେ ରଞ୍ଜତଙ୍କ ଦୁଇ ସାଙ୍ଗ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ସଞ୍ଜୟ ନାୟକ(32) ଏବଂ ପ୍ରଶାନ୍ତ ନାୟକ(29)।

Categories
ଆଞ୍ଚଳିକ

ବଜ୍ରାଘାତରେ ବାପା ପୁଅଙ୍କ ମୃତ୍ୟୁ: ସମ୍ପର୍କୀୟଙ୍କୁ ଭେଟି ସାହାଯ୍ୟର ହାତ ବଢାଇଲେ ବାଲୁଗାଁ ନଗରପାଳିକା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସନ୍ୟାସୀ ନଗରରେ କିଛି ଦିନ ତଳେ ଏକ ଅଘଟଣ ଘଟିଯାଇଥିଲା। ଚିଲିକା ଜଳରାଶି ଭିତରେ ବାପା ପୁଅ ମାଛ ଧରିବା ବେଳେ ବଜ୍ରାଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଏଭଳି ଏକ ଦୁଃଖଦାୟକ ଘଟଣା ବିଷୟରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ ଜାଣିଲା ପରେ ସେ ନିଜେ ଓ ତାଙ୍କ ପ୍ରତିନିଧି, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସନ୍ତୋଷ ପାଇକରାୟ, ଉପ ନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅନିତା ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହା ସହ କିଛି ଆର୍ଥିକ ସହାୟତା, ଏକ ମାସର ରାସନ ସଉଦା ଏବଂ ସେହି ଗ୍ରାମ ବାସୀଙ୍କ ସହିତ ଆଲୋଚନା କରି ତାଙ୍କ ପରିବାରରେ ଥିବା ୩ ଝିଅଙ୍କ ଭରଣ ପୋଷଣ, ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଏଭଳି ଦୁଃଖ ସମୟରେ ସେହି ଦୁଃଖୀ ପରିବାରକୁ ସାହାଯ୍ୟର ହାତ ବଢ଼ାଇ ଥିବାରୁ ବାଲୁଗାଁ ଏନଏସି ନଗର ପାଳିକା ସୁକାନ୍ତି ପାଇକରାୟଙ୍କୁ ସନ୍ୟାସୀ ନଗର ଗ୍ରାମବାସୀ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଅଘଟଣ: ମାଛ ଧରିବା ବେଳେ ବଜ୍ରାଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ ପୁଅଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରୀରେ ବାଲୁଗାଁ ଏନଏସି ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା, ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ସକାଳେ ପରିବାରବର୍ଗ ଏହା ଜାଣିପାରି ଉଭୟଙ୍କ ଶବ ଚିଲିକାରୁ ଉଦ୍ଧାର କରି ବର୍ତ୍ତମାନ ଗ୍ରାମରେ ରଖିଛନ୍ତି। ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଣପୁର: ବଜ୍ରାଘାତରେ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇପଡିଥିବା ଜଣାପଡିଛି।

ମିଳିଥିବା ଖବର ଅନୁଯାୟୀ, ଆଜି ଅପରାହ୍ନ ୩ ଟା ସମୟରେ ବାଣପୁର ଅଞ୍ଚଳରେ ଭୀଷଣ ବଜ୍ରପାତ ଘଟିଥିଲା। ଏହି ସମୟରେ ଭବାନୀପୁର ନୂଆ ସାହିର ଗୌତମ ପଲାଇଙ୍କ ସ୍ତ୍ରୀ ମୀରା ପଲାଇ (୩୬) ନିଜ ବଗିଚାରେ ଥିଲେ। ହଠାତ ସେହି ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ମୀରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ମୀରାଙ୍କ ବାପା ଘର ସାହାସପୁର ବୋଲି ଜଣାପଡିଛି।

ତେବେ ଖବର ଲେଖାଏଁ ହେବା ପର୍ଯ୍ୟନ୍ତ ମୀରାଙ୍କୁ ବ୍ରହ୍ମପୁର ନେବା ପାଇଁ ପରିବାର ଲୋକ ଉଦ୍ୟମ କରୁଥିବା ବେଳେ ଏଯାଏଁ ଆମ୍ବୁଲାନ୍ସ ତାଙ୍କ ନିକଟରେ ପହଞ୍ଚିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କଞ୍ଚନପୁରରେ ବଜ୍ରାଘାତରେ ନାବାଳକ ସହ ୪ ଛେଳି ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କଞ୍ଚନପୁର ଗ୍ରାମରେ ଆଜି ଅପରାହ୍ନ ୩ଟା ବଜ୍ରାଘାତରେ ଜନୈକ ନାବାଳକ ସମେତ ୪ ଟି ଛେଳି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ଲିଙ୍ଗରାଜ କିସାନଙ୍କ ପୁଅ କବିଲାସ କିସାନ (୧୪) ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରାଘାତରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ମୃତ୍ୟୁବରଣ କରିଥିବା ସୂଚନା ଦେଇଥିଲେ। ସେହି ପରିବାରର ୪ଟି ଛେଳି ମଧ୍ୟ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ ପ୍ରଶାସନ ସହଯୋଗ କରିବାକୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବଜ୍ରାଘାତରେ ଯୁବକ ମୃତ

ରଣପୁର: ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ ହୋଇଯାଇଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଏ ଆଜି ଅପରାହ୍ନରେ ରଣପୁର ଓ ଏହାର ଆଖପାଖ ଅଚଂଳରେ ବର୍ଷା ଲାଗିରହିଥିଲା। ଅପରାହ୍ନରେ କେତେକ ଅଚଂଳରେ ଘଡଘଡି ବିଜୁଳି ମଧ୍ୟ ମାରିଥିଲା। ବିଶେଷ କରି ନରସିଂହପୁର ଅଚଂଲରେ ବିଜୁଳିର ବେଗ ଜୋର ଥିଲା।

ନରସିଂହପୁର ଗ୍ରାମର ମଧସୁଦନ ବେହରୋଙ୍କ ପୁଅ ରଞ୍ଜନ ବେହେରା (୨୨) ପ୍ରତିଦିନ ଭଳି ଆଜି ମଈଷି ଚରେଇବାକୁ ବିଲାକୁ ଯାଇଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ସେ ସେହିଠାରେ ଟଳି ପଡିଥିଲେ। ପରେ କିଛି ଲୋକ ଏହା ଜାଣିପାରି ରଞନ କୁ ଉଧାର କରି ରଣପୁର ମେଡିକାଲରେ ଭତି କରିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ରଣପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ରଞ୍ଜନର ପରିବାର ଗରିବ ଶେଣ୍ରୀର ହୋଇଥିବାରୁ ସରକାରି ସହାୟତା ଯୋଗାଇ ଦେବାକୁ ସର୍ବସାଧାରଣ ରେ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରାଘାତରେ ୮ ଗାଈ ଓ ବଳଦ ମୃତ, ଗାଈ ଚରାଳି ବେହୋସ୍

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ କିସିଣ୍ଡା ଥାନା ଗିରିଶ୍ଚନ୍ଦ୍ରପୁର ଅନ୍ତର୍ଗତ କଂଚନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ୮ ଗାଈ ଓ ବଳଦ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ସବୁଦିନପରି ଗିରିଶ୍ଚନ୍ଦ୍ରପୁର ଅନ୍ତର୍ଗତ କଂଚନପୁର ଗ୍ରାମର ଗାଈ ଚରାଳି ବୀରବର ପ୍ରଧାନ ଗ୍ରାମର କେତେଜଣ ଚାଷୀଙ୍କର ଗାଈ ବଳଦ ଚରାଇବାକୁ ନେଇଥିଲେ। ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଜଙ୍ଗଲରେ ଗାଈ ଓ ବଳଦ ଚରୁଥିବା ସମୟରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ୮ ଗାଈ ଓ ବଳଦ ଟଳି ପଡିଥିଲେ। ଗାଈ ଚରାଳି ବଜ୍ରାଘାତରେ ବେହୋସ ହୋଇ ପଡିଥିବା ବେଳେ ୧ ଘଂଟା ପରେ ଚେତା ଫେରି ପାଇଥିଲା।

ଗ୍ରାମର ବିଷ୍ଣୁ ସାହୁଙ୍କର ବଳଦ ୧ ଟି, ଲମ୍ବୋଦର ସାହୁଙ୍କର ବଳଦ ୧ଟି ଓ ଗାଈ ୧ଟି, ବିଷ୍ଣୁ ନାଏକଙ୍କର ବଳଦ ୨ ଟି, ଚେରୁ ଦେହୁରୀଙ୍କର ବଳଦ ଗୋଟିଏ ଓ ଗାଈ ଗୋଟିଏ, ବୀରବର ପ୍ରଧାନଙ୍କର ମଧ୍ୟ ବଳଦ ୧ ଟି ମୃତ୍ୟୁବରଣ କରିଥିବା ଜଣା ପଡିଛି। ସରକାର ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରାଘାତରେ ମୃତ ମହିଳାଙ୍କ ଦଶାହ କ୍ରିୟା ବେଳେ ତୁଠରେ ହେଲା ବଜ୍ରାଘାତ: ଦୁଇ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୂର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତୁଠରେ ଦଶାହ କ୍ରିୟା ଚାଲିଥିବା ବେଳେ ବଜ୍ରାଘାତ ହୋଇଛି। ଯାହାଫଳରେ କ୍ରିୟା କାର୍ଯ୍ୟ ଯୋଗ ଦେଇଥିବା ୨ ଜଣ ଗୁରୁତର ଆହାତ ହୋଇଛନ୍ତି।

ସୂଚନା ଅନୁଯାୟୀ, ହରିପୁର ଗ୍ରାମର ମାଝି ସାହିର ବିନି ମାଝି ଘରେ ବସି ଚା ପିଉଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ। ହେଲେ ତାଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିଲା। ଦଶାହ କାର୍ଯ୍ୟ ଗାଁ ପୋଖରୀରେ ଚାଲିଥିଵା ବେଳେ ବଜ୍ରାଘାତ ହୋଇ ଦୁଇ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ବ୍ୟକ୍ତି ଦ୍ୱୟ ମୃତ ମହିଳାଙ୍କର ଜ୍ୱାଇଁ ହେବେ ବୋଲି ଜଣା ପଡିଛି। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଖବର ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ବଜ୍ରାଘାତରେ ମହିଳା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବଜ୍ରାଘାତରେ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ହରିପୁର ଗ୍ରାମର ସରଜୁ ମାଝି (୫୨) ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଘରେ ବସି ଚା’ ପିଉଥିବା ବେଳେ ସରଜୁଙ୍କୁ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସରଜୁଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଞ୍ଚଳିକ

ନାଚୁଣୀ: ବଜ୍ରାଘାତରେ ମତ୍ସ୍ୟଜୀବୀଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ନାରାୟଣ ବେହେରା (୫୮)। ଘର ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ନଈରୀ ଗ୍ରାମରେ।

ନାରାୟଣ ବେହେରା ନିଜ ଗ୍ରାମରେ ବସିଥିଵା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ଅଘଟଣ: ଜମିକୁ ଚାଷ କରିବାକୁ ଯାଇଥିବା ଯୁବକଙ୍କ ବଜ୍ରାଘାତରେ ହେଲା ମୃତ୍ୟୁ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁରରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମର ସଂଜିତ୍ ରଂଜନ ସେନାପତି ଚାଷ କାମ ପାଇଁ ନିଜ ଜମିକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ଜମିରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ବଜ୍ରାଘାତ: ଜଣେ ମୃତ, ତିନି ଆହତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକରେ ବଜ୍ରାଘାତରେ ଜଣେ ମୃତ ଏବଂ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି। ଚାଷ ଜମିକୁ ରୂଆରୋଇ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଏଭଳି  ଅଘଟଣ ଘଟିଛି। ହରିପୁର ଗ୍ରାମର ବର ଗାଡିଆ ଗହୀରରେ ଚାଷୀ ମାନେ ଚାଷ କାମ କରୁଥିବା ବେଳେ ହଠାତ୍ ବର୍ଷା ପବନ ସହ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରୁ ନିଜକୁ ରକ୍ଷା କରିବା ପାଇଁ ଚାଷୀ ମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାପାତ ହୋଇଥିଲା।

ଏଥିରେ ହରିପୁର ଗ୍ରାମର ସନ୍ତୋଷ ବେହେରା (୨୯)ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ଅନ୍ୟ ଜଣେ ଆହତ ମହିଳାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତର ଚିକିତ୍ସା କରୁଥିବା ଜଣା ପଡିଛି। ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କ ସ୍ୱାସ୍ଥ୍ୟାଵସ୍ଥାରେ ଉନ୍ନତି ଘଟୁଛି। ମୃତ୍ୟୁବରଣ କରିଥିବା ସନ୍ତୋଷ ବେହେରାଙ୍କୁ ୧୦୮ ଆମ୍ବୁଲାନସ ଯୋଗେଁ ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ପଠା ଯାଇଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନବିକତା: ବଜ୍ରାଘାତ ଯୁବତୀଙ୍କୁ ନିଜ ବାହାନରେ ହସ୍ପିଟାଲରେ ପହଞ୍ଚାଇଲେ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ପରି ଏକ ସଂକଟମୟ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଥିବା ଆମ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ କେବଳ କରୋନା ସହ ଲଢେଇ କରୁନାହାନ୍ତି। ସାହାଯ୍ୟ ଓ ସହଯୋଗ କରି ନିଜର ମାନବିକତା ପ୍ରଦର୍ଶନ କରୁଛନ୍ତି।

ଲକ ଡ଼ାଉନ ସମୟରେ ସମସ୍ତ ଜନସାଧାରଣ ମାନେ ଘରେ ରହୁଥିବାସ୍ଥଳେ  କରୋନା ଯୋଦ୍ଧା ମାନେ ନିଜ ଘର ପରିବାର ଛାଡି ଦିନ ରାତି ଏକ କରି ଲାଗିପଡିଛନ୍ତି ଜନସାଧାରଣଙ୍କ ସୁରକ୍ଷାରେ। ନିଜର ମୂଳ କାର୍ଯ୍ୟ ସହ କୋଭିଡର ଅତରିକ୍ତ କାର୍ଯ୍ୟ କରୁଥିବାସ୍ଥଳେ ଭୁଲୁନାହାନ୍ତି ମାନବିକତା। ଏପରି ଏକ ଉଦାହରଣ  ଦେଖିବାକୁ ମିଳିଛି ଆଜି  ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ। ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ତାଙ୍କ କାର୍ଯ୍ୟ ପାଇଁ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ବଜ୍ରାଘାତ ଯୁବତୀଙ୍କୁ ନିଜ ବ୍ୟକ୍ତିଗତ ବାହନରେ ହସ୍ପିଟାଲ ନେଇ ଝିଅଟିର ଜୀବନ ରକ୍ଷା କରିଛନ୍ତି ଏନଏସି ଅଧିକାରୀଜଣକ।

ମିଳିଥିବା ସୂଚନା ଅନୁସାରେ  ଆଜି ଅପରାହ୍ନରେ ବାଣପୁରରେ ସ୍ୱଳ୍ପ ବୃଷ୍ଟି ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ବାଣପୁର ଏନ.ଏ.ସି ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ଝୁନୁ ବେହେରା (୧୮)ଙ୍କୁ ବିଜୁଳି ମାରିଥିଲା। ସେ ତାଙ୍କ ଘର ବାରିପଟେ ପନିକିରେ ପରିବା କାଟୁଥିବାବେଳେ ବଜ୍ରପାତ ହୋଇଥିଲା ଏବଂ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଏହା ଦେଖି ପରିବାର ଲୋକ ଏବଂ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କୁ ତୁରନ୍ତ ଯୋଗାଯୋଗ କରିଥିବାସ୍ଥଳେ ଆମ୍ବୁଲାନ୍ସ ଡ୍ରାଇଭର ୪୦ କିଲୋମିଟର ଦୂରରେ ଅଛନ୍ତି ଏବଂ ଗଲାବେଳକୁ ବିଳମ୍ବ ହେବ ବୋଲି କହିଥିଲେ। ଏଥିରେ ବିଚଳିତ ହୋଇ ଗ୍ରାମର କିଛି ଯୁବକ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଏ ବିଷୟରେ ଅବଗତ କରିଥିଲେ ଏବଂ ଯେହେତୁ ଝିଅଟି ଗରିବ ପରିବାରର ତାଙ୍କ ଚିକିତ୍ସା ପାଇଁ ଅଧିକାରୀଙ୍କ  ସହଯୋଗ ଲୋଡ଼ିଥିଲେ।

ଅଧିକାରୀ ତୁରନ୍ତ ବାଣପୁର ତହସିଲଦାର ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। କିନ୍ତୁ ଯେହେତୁ ଝିଅଟିର ଜୀବନ ମରଣ କଥା  ତହସିଲଦାର କିଛି  ପଦକ୍ଷେପ ନେବା ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ କାର୍ଯ୍ୟାଳୟରୁ ଦୌଡ଼ି ନିଜ ବ୍ୟକ୍ତିଗତ ବାହାନ ଦ୍ୱାରା ସମ୍ପୃକ୍ତ ଝିଅକୁ ତାଙ୍କ ଘରୁ ଆଣି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଝିଅଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଦେଖି ଏନ.ଏ.ସି ଜନସାଧାରଣ ମାନେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।