ବାଣପୁର: ବଜ୍ରାଘାତରେ ଯୁବକଙ୍କ ପ୍ରାଣହାନୀ

Published: May 12, 2024, 6:58 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରାଘାତରେ ଜଣେ ଯୁବକ ପ୍ରାଣ ହରାଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରବଳ ବଜ୍ରପାତ ସହ ବର୍ଷା ହୋଇଥିବା ବେଳେ ବାଣପୁର ଏନଏସି ଦାଶରଥିପୁର ଗ୍ରାମ ହରିଜନ ସାହିର ସ୍ବର୍ଗତ ଗୋଲକ ନାୟକଙ୍କ ପୁତ୍ର ସାଗର ନାୟକ (୩୪)ଙ୍କ ଉପରେ ବଜ୍ରପାତ ହୋଇଥିଲା। ସେ ଘର ବାହାରେ ଶୋଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ତେବେ ପରିବାରବର୍ଗ ତାଙ୍କୁ ବାଣପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ ଘୋଷଣା କରିଥିଲେ। ଖବର ପାଇ ବାଣପୁର ପୋଲିସ କେସ ନମ୍ବର ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts