ଅନୁଗୁଳ: ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଂଗ୍ରେସ ସହ୍ୟ କରିପାରୁନାହିଁ ବୋଲି ବୁଧବାର ଅନୁଗୋଳ ଠାରେ “ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ’ ପଦଯାତ୍ରାରେ ସାମିଲ ହୋଇ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ପଦଯାତ୍ରାରେ ବିରୋଧୀ କଂଗ୍ରେସ ଦଳର ଅରାଜକତା, ଭ୍ରଷ୍ଟାଚାର,ଗଣତନ୍ତ୍ର ବିରୋଧୀ ରୂପ ଏବଂ ଦେଶର ବିକାଶ ବିରୋଧୀ ମାନସିକତା ଉପରେ ଶ୍ରୀ ପ୍ରଧାନ କଡ଼ା ପ୍ରହାର କରିଛନ୍ତି। ଦେଶବାସୀ କଂଗ୍ରେସର ଅରାଜକତା ଓ ତୁଷ୍ଟୀକରଣ ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ବାରମ୍ବାର ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଆଜି ଗଣତନ୍ତ୍ର, ନିର୍ବାଚନ ଆୟୋଗ ଏବଂ ସମ୍ବିଧାନ ବିରୋଧରେ ଅପପ୍ରଚାର କରୁଛନ୍ତି,ଯାହା ତାଙ୍କ ହତାଶାଭାବର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ୧୯୯୮ ମସିହାରୁ ଲଗାତାର ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସକୁ ଲୋକେ ବାରମ୍ବାର ପ୍ରତ୍ୟାଖ୍ୟାନ୍ କରିଆସିଛନ୍ତି। ଓଡ଼ିଶା ସମେତ ଗୁଜରାଟ,ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରୁ କଂଗ୍ରେସ ଆଜି ସମ୍ପୂର୍ଣ୍ଣ ଚିହ୍ନବର୍ଣ୍ଣହୀନ ହୋଇପଡ଼ିଛି। ଗଣତନ୍ତ୍ରର ବାସ୍ତବ ଶକ୍ତି ଯୋଗୁଁ ଆଜି ଓଡ଼ିଶାର ଜଣେ ଆଦିବାସୀ ଘରର ଝିଅ ଦ୍ରୌପଦୀ ମୁର୍ମୁ ଜୀ ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି ଏବଂ ଜଣେ ସାଧାରଣ ଚା’-ବିକାଳିଙ୍କ ପୁଅ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ ଗାନ୍ଧୀ ପରିବାର ଏହି ଗରିବ ଓ ଜନଜାତି ନେତୃତ୍ୱକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଡବଲ୍ ଇଞ୍ଜିନ୍ ସରକାର’ ଓଡ଼ିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି। ରାଜ୍ୟରେ ୫ ଲକ୍ଷରୁ ଅଧିକ ନୂଆ ଭତ୍ତା ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସଡ଼କ ନିର୍ମାଣ ଓ ଗ୍ରାମୀଣ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପଦଯାତ୍ରା ଓ ସଭାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ଥିଲେ।


