ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାଇଁ H-1B ଭିସା ମାମଲାରେ ଏକ ବଡ଼ ଝଟକା ଲାଗିଛି। ଆମେରିକୀୟ ସଙ୍ଘୀୟ ଅଦାଲତ ଟ୍ରମ୍ପ ପ୍ରଶାସନ ଦ୍ୱାରା ନୂତନ H-1B ଭିସା ଆବେଦନ ଉପରେ ଲାଗୁ କରାଯାଇଥିବା 1,00,000 ଡଲାର ଫିକୁ ଅବୈଧ ଘୋଷଣା କରି ରଦ୍ଦ କରିଦେଇଛନ୍ତି।
ଟ୍ରମ୍ପ ପ୍ରଶାସନଙ୍କ ଏହି ନୂତନ ନୀତିକୁ ବିରୋଧ କରି 20ଟି ଡେମୋକ୍ରାଟିକ୍ ରାଜ୍ୟର ଅଟର୍ଣ୍ଣି ଜେନେରାଲମାନେ ଏକ ମାମଲା ଦାଖଲ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ ଏହି ବିପୁଳ ଫି ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗବେଷଣା କ୍ଷେତ୍ରରେ ଆବଶ୍ୟକ ବିଦେଶୀ ଦକ୍ଷ କର୍ମୀଙ୍କ ନିଯୁକ୍ତିକୁ ବାଧା ଦେବ।
ବିଚାରପତି ଲିଓ ସୋରୋକିନ୍ ତାଙ୍କ ରାୟରେ କହିଛନ୍ତି ଯେ H-1B ଭିସା ଉପରେ ଲାଗୁ କରାଯାଇଥିବା 1,00,000 ଡଲାର ଆଦାୟ କୌଣସି ଜରିମାନା ନୁହେଁ, ବରଂ ଏକ “କର” (Tax)। ଆମେରିକୀୟ ସଂବିଧାନ ଅନୁଯାୟୀ କର ଲାଗୁ କରିବାର ଅଧିକାର କଂଗ୍ରେସର, ରାଷ୍ଟ୍ରପତିଙ୍କର ନୁହେଁ। ତେଣୁ ଏହି ଫି ଲାଗୁ କରିବା ପାଇଁ ଟ୍ରମ୍ପ ପ୍ରଶାସନଙ୍କ ପାଖରେ ଆବଶ୍ୟକ ବୈଧ ଅଧିକାର ନଥିଲା।
ବିଚାରପତି ଆହୁରି କହିଛନ୍ତି ଯେ ଏହି ନୀତି ଟ୍ରମ୍ପଙ୍କ କ୍ଷମତା ସୀମାକୁ ଅତିକ୍ରମ କରିଥିଲା ଏବଂ ଏହା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କ୍ଷେତ୍ରକୁ କ୍ଷତି ପହଞ୍ଚାଇପାରୁଥାନ୍ତା।
ଆମେରିକା ସରକାର ଏହି ରାୟ ବିରୋଧରେ ଉଚ୍ଚତର ଅଦାଲତରେ ଆପିଲ୍ କରିବ ବୋଲି କହିଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ପ୍ରଶାସନ ବିଶ୍ୱାସ କରେ ଆପିଲ୍ରେ ଏହି ରାୟକୁ ପଲଟାଯାଇପାରିବ।
H-1B ଭିସା କାର୍ଯ୍ୟକ୍ରମ ଅନୁସାରେ ପ୍ରତିବର୍ଷ 65,000 ଭିସା ଏବଂ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ଅତିରିକ୍ତ 20,000 ଭିସା ଜାରି କରାଯାଏ। ଏହି ଭିସା ସାଧାରଣତଃ 3ରୁ 6 ବର୍ଷ ପର୍ଯ୍ୟନ୍ତ ବୈଧ ରହେ। ଅନୁମୋଦିତ H-1B ଭିସାମାନଙ୍କ ମଧ୍ୟରୁ 70 ପ୍ରତିଶତରୁ ଅଧିକ ଭାରତୀୟ ପେଶାଦାରଙ୍କୁ ମିଳିଥାଏ। ସାଧାରଣତଃ ନିଯୁକ୍ତିଦାତାମାନେ ଏକ H-1B ଆବେଦନ ପାଇଁ ପ୍ରାୟ 2,000ରୁ 5,000 ଡଲାର ପର୍ଯ୍ୟନ୍ତ ଫି ଦେଇଥାନ୍ତି, କିନ୍ତୁ ଟ୍ରମ୍ପ ପ୍ରଶାସନ ଏହାକୁ 1,00,000 ଡଲାରକୁ ବଢ଼ାଇ ଦେଇଥିଲା।


