ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଚର୍ଚ୍ଚିତ ଫ୍ଲାଏଦୁବାଇ ଆକ୍ରମଣ ଘଟଣାରେ ମାମଲା ରୁଜୁ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ତଦନ୍ତ ଆରମ୍ଭ କରିଛି। ଫ୍ଲାଏଦୁବାଇ ଫ୍ଲାଇଟ୍ ର କକପିଟ୍ରେ ଥିବା ଓମାନର ସହ-ପାଇଲଟ କ୍ୟାପ୍ଟେନ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ କ୍ରାଶ କରିବାକୁ ଚାହୁଁଥିଲେ ହେଁ ତାହା ସମ୍ଭବ ହୋଇ ନଥିଲା। ଶେଷରେ ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା।
ସୂଚନା ଥାଉ ଯେ, ସେପ୍ଟେମ୍ବର ୩୦ ତାରିଖ ସକାଳ ୭.୦୫ରେ ୧୭୪ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ଧରି ଫ୍ଲାଏଦୁବାଇ ବିମାନ ୧୦୭୩ ଦୁବାଇରୁ ଉଡ଼ାଣ ଭରିଥିଲା। ବିମାନଟି ଜୋର୍ଡାନ-ସାଉଦି ସୀମାନ୍ତ ଆକାଶ ପଥରେ ଥିବା ବେଳେ କକପିଟ୍ରେ ଆକ୍ରମଣ ଯୋଗୁ ଏହା ସିଧା ୧୬ ଫୁଟ ତଳକୁ ଖସି ଯାଇଥିଲା। ଓମାନୀୟ ପ୍ରଥମ ଅଫିସର କକପିଟ୍ରେ କ୍ୟାପ୍ଟେନ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ। ହେଲେ ରକ୍ତାକ୍ତ ଅବସ୍ଥାରେ ସେ କକପିଟ୍ ଖୋଲି ଦେବାରୁ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ। ଏହି ଆକ୍ରମଣରେ ମଚ୍ଛାରଙ୍କ ମୁଣ୍ଡଠାରୁ ଆରମ୍ଭ କରି ହାତ ଓ ପେଟରେ ଗଭୀର ଆଘାତ ଲାଗିଥିଲା।
କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଅପରାଧ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ହୋଇଥିଲା। ତେଣୁ ଏହା ୨୦୨୬ ମସିହା ଆଣ୍ଟି ହାଇଜାକ ଆଇନର ଧାରା ୩ ଓ ୟୁଏପିଏର ଧାରା ୧୫(୧)(ଏ) ଅଧୀନରେ ଆସୁଛି। ଏହାକୁ ଆଧାର କରି ଏନଆଇଏ ମାମଲା ରୁଜୁ କରିଛି। ଏହି ସମ୍ବେଦନଶୀଳ ଘଟଣା ପଛରେ ଥିବା ବୃହତ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରାଯିବାର ଆବଶ୍ୟକତା ରହିଛି। ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା ଆଇନ, ୨୦୦୮ର ଧାରା ୬ର ଉପଧାରା ୫ ଓ ୮ ଅନୁସାରେ ଏହି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


