ଭୋପାଳ: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ବୋଲି ଆଜି ମଧ୍ୟପ୍ରଦେଶର ଭୋପାଳ ଗସ୍ତ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପୃଥକ ପୃଥକ ଭାବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଜନପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ସଫଳ ୧୨ ବର୍ଷ ଉପରେ ସମ୍ବାଦିକମାନଙ୍କ ସହ ଆଲୋଚନା କରିବା ସହିତ ‘ଆତ୍ମନିର୍ଭର ମହିଳା ସମ୍ମାନ’ ଓ ‘ବିକଶିତ ଭାରତ ସଂକଳ୍ପ: ଏକ ବିକଶିତ ଭାରତ ଅଭିମୁଖେଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର ୧୨ ବର୍ଷ ସଫଳତାର ସହ ପୂର୍ଣ୍ଣ ହୋଇଛି । ଏହି ଯାତ୍ରା ଦେଶର ପ୍ରତ୍ୟେକ ବର୍ଗକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ଏବଂ ସେବା ଓ ସୁଶାସନର ସଂକଳ୍ପକୁ ମଜବୁତ କରିବାର ଯାତ୍ରା ଅଟେ । ଅନ୍ତ୍ୟୋଦୟ ଭାବନା ସହ ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କୁ କେନ୍ଦ୍ରରେ ରଖାଯାଇଛି । ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଲକ୍ଷପତି ଦିଦି, ପିଏମ କିଷାନ ସମ୍ମାନ ନିଧି, ଆୟୁଷ୍ମାନ ଭାରତ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି । ଆଜି ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହ ଦେଶର ନାରୀ ଶକ୍ତି କେବଳ ସହଭାଗୀ ନୁହେଁ, ବରଂ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ।
‘ଆତ୍ମନିର୍ଭର ମହିଳା ସମ୍ମାନ’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଲକ୍ଷପତି ଦିଦିମାନଙ୍କ ସହ ସମ୍ବାଦ କରିଥିଲେ । ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ବୁଲି ଦେଖିବା ସହ ସେମାନଙ୍କ ପରିଶ୍ରମ, ପ୍ରତିଭା ଓ ଆତ୍ମବିଶ୍ୱାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଜିର ନାରୀ ଶକ୍ତି ସ୍କିଲ ଓ ଇନୋଭେସନ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି । ମନ୍ଦିରର ବର୍ଜ୍ୟବସ୍ତୁରୁ ପୁଣି ଥରେ ଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସ୍ୱଚ୍ଛତା ଏବଂ ଆତ୍ମନିର୍ଭରତାର ଏକ ପ୍ରେରଣାଦାୟୀ ଉଦାହରଣ । ସେହିପରି କେନ୍ଦ୍ର ସରକାରଙ୍କ ‘ଗୋବର୍ଦ୍ଧନ ଯୋଜନା’ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରି ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରୁଛି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ଅଧିକ ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ଏହି ଅଭିଯାନରେ ଆଇଆଇଏମ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଯୋଡ଼ାଯିବ, ଯାହାଦ୍ୱାରା ମହିଳାମାନଙ୍କୁ ଉଦ୍ୟମିତା ଓ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରିବ ବୋଲି ସେ କହିଛନ୍ତି।
ଏହାବ୍ୟତୀତ ଭୋପାଳ ମହାନଗର ନିଗମର ନବନିର୍ମିତ ମୁଖ୍ୟାଳୟ ‘ଅଟଳ ଭବନ’ରେ କର୍ପୋରେଟରମାନଙ୍କ ସହ ଆଲୋଚନା କରି ସହରରେ ପାଇପ୍ ପ୍ରାକୃତିକ ଗ୍ୟାସର ବ୍ୟବହାର ବଢ଼ାଇ ଶକ୍ତି ଓ ପରିବେଶ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଶେଷରେ ସେ କହିଛନ୍ତି ଯେ, ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ମନ୍ତ୍ର ସହିତ ଭାରତ ଆଜି ଆତ୍ମବିଶ୍ୱାସର ସହ ବିକଶିତ ଭାରତ ୨୦୪୭ ର ସଂକଳ୍ପକୁ ସାକାର କରିବା ଦିଗରେ ଅଗ୍ରସର ହେଉଛି ଏବଂ ଏଥିରେ ଆମ ମାତୃଶକ୍ତିର ଭାଗିଦାରୀ ହିଁ ଦେଶର ପ୍ରଗତିର ମୂଳ ଆଧାର।
ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ। ଏହି ବୈଠକରେ ରାଜ୍ୟରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବକମାନଙ୍କ ସଶକ୍ତୀକରଣ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ଯୁବ ପ୍ରତିଭାମାନଙ୍କୁ ନୂଆ ସୁଯୋଗ ପ୍ରଦାନ କରି ସେମାନଙ୍କୁ ରାଷ୍ଟ୍ର ନିର୍ମାଣର ସହଭାଗୀ କରିବା ଦିଗରେ କେନ୍ଦ୍ର ଏବଂ ମଧ୍ୟପ୍ରଦେଶ ସରକାର ନିରନ୍ତର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।


