ଭୁବନେଶ୍ୱର: ପୁରୀ ରେଳ ଷ୍ଟେସନରେ ଅତ୍ୟାବଶ୍ୟକ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ସୁଗମ କରିବା ପାଇଁ, ପୂର୍ବ ତଟ ରେଳପଥ ପକ୍ଷରୁ ୧୬ ଜୁନରୁ ୨୦ ଜୁନ ୨୦୨୬ ମଧ୍ୟରେ କେତେକ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ ପାଇଁ ଘୋଷଣା କରାଯାଇଛି।
ପୁରୀ ରେଳ ଷ୍ଟେସନରେ ପରିଚାଳନାଗତ ସୁରକ୍ଷା ବୃଦ୍ଧି, ଯାତ୍ରୀ ସୁବିଧାର ଉନ୍ନତି ଏବଂ ସାମଗ୍ରିକ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟର ସୁଚାରୁ ରୂପାୟନ ନିଶ୍ଚିତ କରିବା ପାଇଁ ଏହି ଅସ୍ଥାୟୀ ପରିବର୍ତ୍ତନଗୁଡ଼ିକ ଯୋଜନା କରାଯାଇଛି।
ଏହି ବ୍ୟବସ୍ଥାର ଏକ ଅଂଶ ସ୍ୱରୂପ, ଟ୍ରେନ ନମ୍ବର ୬୮୪୫୦ ଦଶପଲ୍ଲା–ପୁରୀ ମେମୁ (MEMU), ଟ୍ରେନ ନମ୍ବର ୧୮୪୦୧ ବାଙ୍ଗିରିପୋଷି–ପୁରୀ ଏକ୍ସପ୍ରେସ ଏବଂ ଟ୍ରେନ ନମ୍ବର ୧୮୪୧୭ ପୁରୀ–ଗୁଣୁପୁର ଏକ୍ସପ୍ରେସ ୧୬ ଜୁନରୁ ୧୯ ଜୁନ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ଠାରେ ଯାତ୍ରା ସମାପ୍ତ (short-terminated) କରିବ।
ସେହିପରି, ଟ୍ରେନ ନମ୍ବର ୬୮୪୪୯ ପୁରୀ–ଦଶପଲ୍ଲା ମେମୁ, ଟ୍ରେନ ନମ୍ବର ୧୮୪୦୨ ପୁରୀ–ବାଙ୍ଗିରିପୋଷି ଏକ୍ସପ୍ରେସ ଏବଂ ଟ୍ରେନ ନମ୍ବର ୧୮୪୧୮ ଗୁଣୁପୁର–ପୁରୀ ଏକ୍ସପ୍ରେସ ଉକ୍ତ ସମୟ ମଧ୍ୟରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ଯାତ୍ରା ଆରମ୍ଭ କରିବ।
ଏହା ସହିତ, ଟ୍ରେନ ନମ୍ବର ୬୮୪୦୪ ପୁରୀ–ଖୋର୍ଦ୍ଧା ରୋଡ୍ ମେମୁ ୧୬ ଜୁନରୁ ୧୯ ଜୁନ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ ଏବଂ ଟ୍ରେନ ନମ୍ବର ୬୮୪୬୮୪୫୦୦୩ ଖୋର୍ଦ୍ଧା ରୋଡ୍–ପୁରୀ ମେମୁ ୧୭ ଜୁନରୁ ୨୦ ଜୁନ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ ସମ୍ବନ୍ଧୀୟ ଅଦ୍ୟତନ (ଅପଡେଟ୍) ସୂଚନା ପାଇଁ, ଯାତ୍ରୀମାନେ ସେମାନଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ (NTES) ଦେଖିପାରିବେ କିମ୍ବା ସରକାରୀ ରେଳ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ।


