ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳର କପ୍ତିପଦା-ତେଲିପାଳ ନିକଟରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ନିର୍ମାଣାଧୀନ ପୋଲ ତଳକୁ ବାଇକ୍ ଖସି ପଡ଼ିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତକ ଦୁଇଜଣ ହେଲେ ଔପଦା ଥାନା ଅନ୍ତର୍ଗତ ଖୁମକୁଟ ଗାଁର ଦିଲୀପ ସୋରେନ ଓ ନରେନ୍ଦ୍ର ମୁର୍ମୁ। ସୂଚନା ଅନୁଯାୟୀ, ଉଭୟ ଯୁବକ ଉଦଳାରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଅସାବଧାନତାବଶତଃ ନିର୍ମାଣାଧୀନ ପୋଲ ତଳକୁ ଖସି ପଡ଼ିଥିଲେ।
ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଉଭୟଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


