ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। ସେ ବର୍ତ୍ତମାନ କନକ ନ୍ୟୁଜର ଦିଲ୍ଲୀ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ।
ବିଭୂତି ଓଡିଆ ସାମ୍ବାଦିକ ମହଲରେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ। ସେ ପ୍ରଥମେ ଇଷ୍ଟର୍ଣ୍ଣ ଟାଇମସ ଖବର କାଗଜରୁ ସାମ୍ବାଦିକତା ଆରମ୍ଭ କରିଥିଲେ। ଏହାପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ରେ କାମ କରି ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି। ତାଙ୍କର ଅକାଳ ବିୟୋଗରେ ଓଡିଶା ଗଣମାଧ୍ୟମ ମହଲରେ ଶୋକର ଛାୟା ଖେଳିଯାଇଛି।


