ଭୁବନେଶ୍ବର: ପୂର୍ବ ଶତ୍ରୁତା ଓ ବାଣ କିଣାକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ଏକ ସଂଘବଦ୍ଧ ଜଘନ୍ୟ ଆକ୍ରମଣ ହୋଇଛି। ଦୁଇ ଜଣ ଯୁବକ ହଠାତ୍ ସରପଞ୍ଚଙ୍କ ବାପା, ଭାଇ ଓ ସମ୍ପର୍କୀୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏହି ମାରାତ୍ମକ ଆକ୍ରମଣରେ ସରପଞ୍ଚଙ୍କ ବାପା, ଭାଇ ଓ ସମ୍ପର୍କୀୟଙ୍କ ସହିତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ମିଳିଥିବା ସୂଚନା ମୁତାବକ, ତିଖିରି ଅଞ୍ଚଳରେ ବାଣ କିଣିବା ସମୟରେ ପୂର୍ବରୁ ଲାଗି ରହିଥିବା ଶତ୍ରୁତାକୁ ନେଇ କଥାବାର୍ତ୍ତା ଉଗ୍ର ରୂପ ନେଇଥିଲା। ଏହାପରେ ଦୁଇ ଜଣ ଯୁବକ ଅଚାନକ ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ହୋଇଥିବା ତିନି ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି।
ଏହି ସାଂଘାତିକ ଘଟଣା ପରେ ମାର୍ଶାଘାଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ଦାୟର କରାଯାଇଛି। ସ୍ଥାନୀୟ ପୁଲିସ ମାମଲା ରୁଜୁ କରି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣ କାଣ୍ଡ ପରେ ସମଗ୍ର ତିଖିରି ଓ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସହ ଉତ୍ତେଜନା ପ୍ରକାଶ ପାଇଛି।


