ନୂଆଦିଲ୍ଲୀ: ସ୍ଲୋଭାକିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପିଟର ପେଲେଗ୍ରିନିଙ୍କୁ ପିତଳରେ ନିର୍ମିତ ଡୋକ୍ରା ମୃଗ ସେଟ୍ ଉପହାର ଦେଇଛନ୍ତି। ପିତଳ ଡୋକ୍ରା ମୃଗ ସେଟ୍ ଏକ ହସ୍ତଶିଳ୍ପ କଳାକୃତି ଯାହା ଭାରତର ହଜାର ହଜାର ବର୍ଷ ପୁରୁଣା ଡୋକ୍ରା ଧାତୁ-କାଷ୍ଟିଂ ପରମ୍ପରାକୁ ପ୍ରଦର୍ଶନ କରେ। ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଆଦିବାସୀ କାରିଗରମାନେ ବହୁ ବର୍ଷ ଧରି ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ବିଲୁପ୍ତ ହୋଇଯାଉଥିବା ପାରମ୍ପରିକ ମହମ କାଷ୍ଟିଂ କୌଶଳ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହାର ପ୍ରତ୍ୟେକ ଖଣ୍ଡ ଅନନ୍ୟ। ଏହା ପ୍ରକୃତି, ଲୋକକଥା ଏବଂ ଗ୍ରାମୀଣ ଜୀବନର ବିଷୟବସ୍ତୁକୁ ପ୍ରତିଫଳିତ କରେ। ଏହି ଡୋକ୍ରା କାରିଗରି ପାଇଁ ଓଡିଶା ବେଶ୍ ପ୍ରସିଦ୍ଧ। ଏଠାକାର ଆଦିବାସୀ କାରିଗରମାନେ ଅତି ନିଖୁଣ ଭାବେ ପ୍ରସ୍ତୁତ କରୁଥିବା ଡୋକ୍ରା କଳାକୃତିଗୁଡିକ ଏବେ ଅନ୍ତର୍ଜାତୀୟ ବଜାରରେ ନିଜସ୍ଵ ସ୍ଥାନ ସୃଷ୍ଟି କରିଛନ୍ତି।
ଉପହାର ଦିଆଯାଇଥିବା ମୃଗ ପ୍ରତିମୂର୍ତ୍ତିଗୁଡ଼ିକ କୋମଳତା, ଚପଳତା ଏବଂ ପ୍ରକୃତି ସହିତ ସମନ୍ୱୟର ପ୍ରତୀକକୁ ଦର୍ଶାଇଥାନ୍ତି। ସେମାନେ ସ୍ଲୋଭାକିଆର ‘ତାତ୍ରା ଚାମୋଇସ୍’ ସହିତ ଏକ ସାଂସ୍କୃତିକ ସଂଯୋଗକୁ ମଧ୍ୟ ସୂଚିତ କରନ୍ତି, କାରଣ ଉଭୟ ପ୍ରାଣୀ ଦୃଢତା ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ସହିତ ଏକ ଗଭୀର ସମ୍ପର୍କକୁ ପ୍ରତିନିଧିତ୍ୱ କରନ୍ତି।


