ଭୁବନେଶ୍ୱର: ହିନ୍ଦୀ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ପଦ୍ମଭୂଷଣ ସୁମନ କଲ୍ୟାଣପୁରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ମନୋଜ୍ଞ ସଂଗୀତ ସନ୍ଧ୍ୟା ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ଅତିଥି ଭାବରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ, ଶାସ୍ତ୍ରୀୟ ଗୁରୁ ଡ. ଚିତ୍ତରଂଜନ ପାଣି, କଟକ ଟିଭର ମୁଖ୍ୟ ଭବାନୀ ମହାପାତ୍ର, ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସମ୍ପାଦକ ଡ. ସୌରେନ୍ଦ୍ର କୁମାର ମହାପାତ୍ର ଓ ପ୍ରଯୋଜକ ଲୁଟୁ ମହାନ୍ତି ପ୍ରମୁଖ ଯୋଗଦେଇ ହିନ୍ଦୀ ଚଳଚ୍ଚିତ୍ର ସଂଗୀତ କ୍ଷେତ୍ରକୁ ସମୃଦ୍ଧ କରିଥିବା ପ୍ରଖ୍ୟାତ ସଂଗୀତଜ୍ଞ ମାନଙ୍କ ଅବଦାନକୁ ସ୍ମରଣ କରିଥିଲେ। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ ସମ୍ପାଦକ ବରିଷ୍ଠ ସିନେସମୀକ୍ଷକ ଦିଲ୍ଲୀପ ହାଲି ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ ଗୋପୀନାଥ ବାରିକଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ଯଥା- ‘ମହାବାତ୍ୟାର ଅକୁହା କଥା’ ଓ ‘ରାଜଧାନୀର ରୁବି’ ଲୋକାର୍ପିତ ହେବା ସହିତ ତାଙ୍କଦ୍ୱାରା ଲିଖିତ ଭକ୍ତି ସଙ୍ଗୀତ ‘ଜଗାରେ…’ ସଂଗୀତଜ୍ଞ ଜୟଦେବ ମିଶ୍ରଙ୍କ କଣ୍ଠରେ ଗାନ କରାଯାଇଥିଲା ।
ଏହି ସଂଗୀତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଛନ୍ଦା ମିଶ୍ର, ପ୍ରତିଭା ପ୍ରଧାନ, କୁମାର ବିଷ୍ଣୁ, ଦେବାଂଶୀ ନାୟକ, ରୀତିକା ରିମ୍ଝିମ୍, ପ୍ରଜ୍ଞାନ ପ୍ରିୟଦର୍ଶିନୀ, ଅର୍ଣ୍ଣବ ପଣ୍ଡା, ତମନ୍ନା ତ୍ରିପାଠୀ, ସିଦ୍ଧାନ୍ତ ଶତପଥି ପ୍ରମୁଖ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଗୋଟିଏ ଫୁଲ କୋଟିଏ କଥା’ର ନିର୍ଦ୍ଦେଶକ ମଣ୍ଟୁ ସିଂ, ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ, ଚିତ୍ରନାଟ୍ୟ ଲେଖକ ଶୁଭେନ୍ଦୁ ମହାନ୍ତି, ସମ୍ପାଦନା କୁମାରସାନୁ ପତି ଓ ଉଦ୍ଘୋଷିକା ସୁଲଗ୍ନା ରାଉତରାୟ, ସରିତା ସାହୁଙ୍କୁ ସିନେକ୍ରିଟିକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରୁଦ୍ର ପ୍ରସାଦ ନାୟକ ଓ ବନଜା ସଂଯୋଜନା କରିଥିଲେ।


