ପୁରୀ: ଆଜି ମହାପ୍ରଭୃଙ୍କ ପବିତ୍ର ସ୍ନାନଯାତ୍ରା। ଏହି ଉପଲକ୍ଷେ ପୁରୀ ବଡଦାଣ୍ଡ ବେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ଲୋକାରଣ୍ୟ ସୃଷ୍ଟି ହୋଇଛି। ତେବେ ଏହି ଭକ୍ତଙ୍କ ଗହଣରେ ଅନେକ ଭିଆଇପି ବା ଭିଭିଆଇପି ଭକ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ବଡ ଆଶ୍ଚର୍ଯ୍ୟର କଥା ହେଲା ଯେ ଉଭୟ ଅଲଗା ଅଲଗା ହୋଇ ଜଗା ଦର୍ଶନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆର୍ଶିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର। ପରେ ଯୋଗଦେଇଥିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ସରକାରୀ ଅଧିକାରୀ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟମାନେ ରହିବା ସ୍ବାଭାବିକ।
ସମସ୍ତେ ମନ୍ଦିର ଭିତରେ ପ୍ରବେଶ କରି ସ୍ନାନ ମଣ୍ଡପକୁ ଆସିଥିଲେ। ସେଠାରେ ଜଗା ଦର୍ଶନ କରି ଭକ୍ତଙ୍କୁ ହାତ ହଲାଇ ବିଦାୟ ନେଇଥିଲେ। ସେହିପରି ପୁରୀରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜଗା ଦର୍ଶନ କରିବାକୁ ଆସିଥିଲେ। ତେବେ ତାଙ୍କ ସହିତ ଜଣାଶୁଣା ଭାବେ ଉପସ୍ଥିତ ଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ଉଭୟ ତାଙ୍କ ଦଳବଳ ଧରି ଜଗା ଦର୍ଶନ କରି ଫେରିଥିଲେ।
ଏହାକୁ ନେଇ ପୁରୀରେ ରାଜନୀତି ବଡ ରୋଚକ ମୋଡରେ ପହଞ୍ଚିଛି। ଉଭୟ ଏକାଠି ନ ଆସି ଏପରି ଅଲଗା ଅଲଗା ଆସିବାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରାପଡାରେ ଧର୍ମେନ୍ଦ୍ରଙ୍କ ସହିତ ବହୁ ମନ୍ତ୍ରୀ ଓ ବିଧାୟକ ଥିଲେ। ହେଲେ ଆଜି ହଠାତ କଣ ମାଡ ହେଲା କେଜାଣି ସେମାନେ ସମସ୍ତେ ପୁରୀରେ ଥାଇ ମଧ୍ୟ ଦୂରେଇ ଗଲେ। ଫଳରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ମଧ୍ୟ ଭଲ ତାଳମେଳ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି।


