ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଝାରଖଣ୍ଡର ଜଣେ ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡରେ ୩ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ତଲସରା ଥାନା ଅନ୍ତର୍ଗତ ସବଡେଗା ନିକଟରେ ବ୍ୟବସାୟୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଏକ କାରରେ ଫେରାର ହେଉଥିଲେ। ଏହି ସମୟରେ ଭସ୍ମା ଥାନା ଅଞ୍ଚଳରେ ଦ୍ରୁତଗତିରେ ଯାଉଥିବା କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡ଼ିଥିଲା।
ଦୁର୍ଘଟଣାରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି।
ହତ୍ୟାକାଣ୍ଡର ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟବସାୟୀଙ୍କ ପରିଚୟ ଏବଂ ହତ୍ୟାର ଉଦ୍ଦେଶ୍ୟ ନେଇ ଅଧିକ ଖୋଳତାଡ଼ ଚାଲିଛି।


