ନବରଙ୍ଗପୁର: ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦର ପ୍ରଭାବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ କେତେକ ସ୍ଥାନରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି।
ଜିଲ୍ଲା କଂଗ୍ରେସ ସଭାପତି ଡା. ଲିପିକା ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ, କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଓ ମାଝୀଗୁଡା ଛକ ସମେତ ବିଭିନ୍ନ ସ୍ଥାନରେ ଧାରଣା ଓ ପ୍ରତିବାଦ କରୁଛନ୍ତି। ସେମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାରୁ ସହର ମଧ୍ୟ ଦେଇ ଯାନଚଳାଚଳ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଦୂରଗାମୀ ଗାଡ଼ି ଅଟକି ରହିଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି।
ସୂଚନା ଅନୁସାରେ, ଜିଲ୍ଲାର ୧୦ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳର କେତେକ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଛି। ତେବେ ଉମରକୋଟ ସହରରେ ବନ୍ଦର ବିଶେଷ ପ୍ରଭାବ ଦେଖାଯାଇନାହିଁ। ଅନ୍ୟପକ୍ଷରେ ଆମ୍ବୁଲାନ୍ସ, ଔଷଧ ଦୋକାନ, ଅନ୍ୟାନ୍ୟ ଜରୁରୀକାଳୀନ ସେବା ଏବଂ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଯାନବାହନକୁ ବନ୍ଦରୁ ମୁକ୍ତ ରଖାଯାଇଛି।
ପାଠ୍ୟପୁସ୍ତକରେ ୧୬ ଶହରୁ ଅଧିକ ତ୍ରୁଟି ଥିବା ଅଭିଯୋଗ କରି କଂଗ୍ରେସ କହିଛି ଯେ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଗୁରୁତର ଖେଳ। ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି। ଉମରକୋଟର ବିଧାୟକ ତଥା ମନ୍ତ୍ରୀ ଭାବେ ତାଙ୍କର ଅପାରଗତା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ବଦନାମ ହୋଇଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି।


