ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୭,୧୪୫.୧୪ କୋଟି ଟଙ୍କା ବ୍ୟୟରେ ୧୧୭.୭ କିଲୋମିଟର ଦୀର୍ଘ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ରାଜପଥ ନିର୍ମାଣକୁ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପ ଭୋପାଳ-କାନପୁର ଅର୍ଥନୈତିକ କରିଡରର ଏକ ପ୍ରମୁଖ ଅଂଶ ହେବ।
ପ୍ରସ୍ତାବିତ ରାଜପଥଟି ଚାରି ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଭବିଷ୍ୟତରେ ଏହାକୁ ଛଅ ଲେନ୍କୁ ସମ୍ପ୍ରସାରଣ କରିବା ଲକ୍ଷ୍ୟରେ ନିର୍ମାଣ କରାଯିବ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବିଓଟି (ଟୋଲ୍) ମୋଡ୍ରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏଥିରେ ବର୍ତ୍ତମାନର ଏନଏଚ୍-୩୪ର କାନପୁର-କବରାଇ ଖଣ୍ଡର ପରିଚାଳନା ଓ ରକ୍ଷଣାବେକ୍ଷଣ ମଧ୍ୟ ସାମିଲ ରହିବ।
ନୂତନ କରିଡର ନିର୍ମାଣ ପରେ କାନପୁର ଓ କବରାଇ ମଧ୍ୟରେ ଯାତ୍ରା ସମୟ ୩.୫ ଘଣ୍ଟାରୁ ହ୍ରାସ ପାଇ ୧.୫ ଘଣ୍ଟାକୁ ଆସିବ। ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ଯାନବାହନ ଚଳାଚଳ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏହା ସଡ଼କ ସୁରକ୍ଷା ବୃଦ୍ଧି, ପରିବହନ ଖର୍ଚ୍ଚ ହ୍ରାସ ଓ ମାଲ୍ ପରିବହନକୁ ଅଧିକ ଦ୍ରୁତ ଏବଂ ସହଜ କରିବ।
ଏହି ପ୍ରକଳ୍ପ ଉତ୍ତର ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ମଧ୍ୟପ୍ରଦେଶର ଖଣିଜ, କୃଷି ଏବଂ ଉତ୍ପାଦନ କ୍ଷେତ୍ର ସହ ଆଧୁନିକ ସଡ଼କ ସଂଯୋଗ ଯୋଗାଇବ। ଏହା ସହିତ ଏନଏଚ୍-୩୪, ଏନଏଚ୍-୩୫, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, କାନପୁର ରିଙ୍ଗ ରୋଡ୍ ଓ ବିଭିନ୍ନ ରାଜ୍ୟ ରାଜପଥ ସହ ସଂଯୋଗ ସୁଦୃଢ଼ ହେବ।
ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅନୁଯାୟୀ ପ୍ରସ୍ତୁତ ଏହି ପ୍ରକଳ୍ପ ଉନ୍ନାଓ, ବାନ୍ଥାର, ପାନଖି, ରାନିଆ, ଜୈନପୁର, ରୁମା, ଚକେରୀ ଓ ସୁମେରପୁର ସମେତ ୧୬ଟି ଅର୍ଥନୈତିକ କେନ୍ଦ୍ର, ୯ଟି ସାମାଜିକ କେନ୍ଦ୍ର ଏବଂ ୧୦ଟି ଲଜିଷ୍ଟିକ୍ସ ହବ୍କୁ ସଂଯୋଗ କରିବ। କାନପୁର, ଚକେରୀ ଓ ଖଜୁରାହୋ ବିମାନବନ୍ଦର ସହିତ ମଧ୍ୟ ଏହାର ସଂଯୋଗ ଉନ୍ନତ ହେବ।
ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୧.୨ କୋଟି ମାନବ-ଦିବସ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ ବୋଲି ସରକାର ଆକଳନ କରିଛନ୍ତି। ସେହିପରି ୨୦୨୮ ସୁଦ୍ଧା ଏହି କରିଡରରେ ଦୈନିକ ହାରାହାରି ୧୮ ହଜାରରୁ ଅଧିକ ପାସେଞ୍ଜର କାର୍ ୟୁନିଟ୍ (ପିସିୟୁ) ଯାତାୟାତ ହେବ ବୋଲି ପୂର୍ବାନୁମାନ କରାଯାଇଛି।


