ଗୋପ: ଗୋପ ବ୍ଲକର ବେଗୁନିଆ ଗ୍ରାମସ୍ଥିତ କବି ବଳରାମ ଦାସଙ୍କ ସମାଧି ପୀଠରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ କରାଯିବ। ପର୍ଯ୍ୟଟନ ବିଭାଗ ଆୟୋଜିତ ‘ଶକ୍ତି ବନ୍ଦନାର ମହାଗାଥା–ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି।
ସେ କହିଛନ୍ତି, ଲକ୍ଷ୍ମୀ ପୁରାଣ କେବଳ ଧାର୍ମିକ ଗ୍ରନ୍ଥ ନୁହେଁ, ବରଂ ସାମାଜିକ ସମାନତା, ନ୍ୟାୟ, ସ୍ୱାଭିମାନ ଓ ନାରୀ ସଶକ୍ତୀକରଣର ବାର୍ତ୍ତା ବହନ କରେ। ଆଗାମୀ ଦିନରେ ବଳରାମ ଦାସଙ୍କ ମୂଳ ‘ଲକ୍ଷ୍ମୀ ପୁରାଣ’ର ୧ କୋଟି ଛପାଯାଇ ମହିଳାଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏହାସହ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ଗୀତା ଦାସ ମୂଳ ‘ଲକ୍ଷ୍ମୀ ପୁରାଣ’ର ସଙ୍ଗୀତାୟନ କରିବେ।
କାର୍ଯ୍ୟକ୍ରମରେ ପ୍ରସ୍ତାବିତ ‘ଲକ୍ଷ୍ମୀ ପୁରାଣ କରିଡର’ର ପରିକଳ୍ପିତ ଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ଲକ୍ଷ୍ମୀ ପୁରାଣ ମହିଳା ସମ୍ମାନ ଓ ସାମାଜିକ ସମାନତାର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।
ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ପ୍ରସ୍ତାବିତ ‘ଲକ୍ଷ୍ମୀ ପୁରାଣ କରିଡର’ର ପରିକଳ୍ପିତ ଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ କରିଥିଲେ। ଆୟୋଜିତ ମୁଖ୍ୟ ଆଲୋଚନାଚକ୍ରରେ ନୂଆଦିଲ୍ଲୀସ୍ଥିତ ‘ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ’ର ମହିଳା ଅଧ୍ୟୟନ କାର୍ଯ୍ୟକ୍ରମର ମୁଖ୍ୟ ବିଦ୍ୟୁତ୍ଲତା ମହାନ୍ତି, ଜଣାଶୁଣା ଲେଖକ ଓ ସ୍ତମ୍ଭକାର ଅସିତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ଗୌରାଙ୍ଗ ଚରଣ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ ଓ ନମିତା ଅଗ୍ରୱାଲ ଯୋଗ ଦେଇଥିଲେ। ସେହିପରି ଅନନ୍ତ ଅବଧୂତ ମଠର ଆଦିତ୍ୟ ଚନ୍ଦ୍ର ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ସୁଚେତା ପ୍ରିୟବାଦିନୀ ଓ ଅଲିଭା ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଜୟନ୍ତୀ ଦୋରା ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।


