ନୂଆଦିଲ୍ଲୀ: ସୋମବାର (୯ ଜୁଲାଇ, ୨୦୨୬) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବାକୁ ଥିବା “ମେଲବୋର୍ଣ୍ଣ ମିଟ୍ସ ମୋଦି” କାର୍ଯ୍ୟକ୍ରମର ପ୍ରଚାର କରୁଥିବା ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଧମକ ଦିଆଯାଇଛି। ମେଲବୋର୍ଣ୍ଣରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମୃତ୍ୟୁ ଧମକ ପରେ, ଅଷ୍ଟ୍ରେଲିଆ ଫେଡେରାଲ୍ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଫେସବୁକ୍ ପୋଷ୍ଟରେ ଧମକ
ଦି ଅଷ୍ଟ୍ରେଲିଆ ଟୁଡେର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଲବୋର୍ଣ୍ଣ ଆଗମନ ପରେ ଜୁଲାଇ ୯ ତାରିଖରେ ସ୍ଥାନୀୟ ମାର୍ଭଲ ଷ୍ଟାଡିୟମରେ “ମେଲବୋର୍ଣ୍ଣ ମିଟ୍ସ ମୋଦି” ଶୀର୍ଷକ ଏକ ସମ୍ପ୍ରଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ସେୟାର କରାଯାଇଛି। ଏହି ସମୟରେ ଏକ ଫେସବୁକ୍ ପୋଷ୍ଟରେ ଏକ ମନ୍ତବ୍ୟ ପ୍ରକାଶ ପାଇଛି, ଯାହା ଉଭୟ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢାଇଦେଇଛି।
ସୂଚନା ଅନୁଯାୟୀ, ଅବୁ ମୁସ୍ତାଫାଙ୍କ ନାମରେ ଏକ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ହତ୍ୟା କରିବାକୁ ଧମକ ଦେଇଥିଲା। ମନ୍ତବ୍ୟରେ ଲେଖାଥିଲା ଯେ, “ଏହି କାର୍ଯ୍ୟକ୍ରମ ସମୟରେ ଷ୍ଟାଡିୟମ ଛାତ ବନ୍ଦ କରାଯିବା ଉଚିତ, ନଚେତ୍ ସେ ତାଙ୍କ ମୃତ୍ୟୁ ପାଇଁ ଅଷ୍ଟ୍ରେଲିଆ ଆସିବେ।”


