ଭୁବନେଶ୍ୱର: ବାରିପଦାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ରାଜ୍ୟ ସରକାର ପରିବହନ ବ୍ୟବସ୍ଥାରେ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବୈଧ ଫିଟନେସ ପ୍ରମାଣପତ୍ର (Fitness Certificate) ନଥିବା ଗାଡ଼ିର ପଞ୍ଜୀକରଣ (Registration) ସମ୍ପର୍କିତ କୌଣସି କାର୍ଯ୍ୟ କରାଯିବ ନାହିଁ।
ପରିବହନ ମନ୍ତ୍ରୀ ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO)ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବ୍ୟବସାୟିକ ଯାନଗୁଡ଼ିକର ଫିଟନେସ ସାର୍ଟିଫିକେଟ୍ ଓ ବୈଧ ବୀମା (Insurance) ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବାକୁ କୁହାଯାଇଛି।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଫିଟନେସ ପ୍ରମାଣପତ୍ର ବିନା କୌଣସି ଯାନ ସଡ଼କରେ ଚଳାଚଳ କରିବାକୁ ଦିଆଯିବ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଓ ମାଲିକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସମସ୍ତ RTOଙ୍କୁ ନିୟମିତ ଭାବେ ସ୍ପେଶାଲ୍ ଡ୍ରାଇଭ୍ ଚଳାଇ ଗାଡ଼ିର ଫିଟନେସ, ବୀମା, ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର (PUC) ଓ ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।
ବାରିପଦା ଦୁର୍ଘଟଣା ପରେ ଯାନବାହନର ସୁରକ୍ଷା ମାନକକୁ କଡ଼ାକଡ଼ି ଭାବେ ପାଳନ କରାଇବା ଏବଂ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ସଡ଼କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଗାମୀ ଦିନରେ ଯାଞ୍ଚ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି।


