ପୁରୀ: ଉଦ୍ଘାଟନ ହେବା ପୂର୍ବରୁ ପ୍ରଥମ ବଡ଼ ବର୍ଷାରେ ଧସିପଡ଼ିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ନବନିର୍ମିତ ଲୁଣା ସେତୁର ଆପ୍ରୋଚ୍ ରାସ୍ତା। ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡାକପଡା–ମୋହନୀପୁର ସଂଯୋଗକାରୀ ଏହି ସେତୁର ପଥର ୱାଲ୍ ସହ ପିଚୁ ରାସ୍ତା ଧସିଯିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାନୁସାରେ, ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୁଣା ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଇଥିଲା। ତେବେ ଉଦ୍ଘାଟନ ପୂର୍ବରୁ ହୋଇଥିବା ପ୍ରଥମ ବଡ଼ ବର୍ଷାରେ ସେତୁର ଆପ୍ରୋଚ୍ ଅଂଶର ପଥର ୱାଲ୍ ଏବଂ ପିଚୁ ରାସ୍ତା ଧସିଯାଇଛି। ଫଳରେ ସେତୁର ସୁରକ୍ଷା ଓ ନିର୍ମାଣର ମାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଏହି ସେତୁ ଉପରେ ମୁନିଦା, ଗୁଆଳିପଡ଼ା, ଧାନକେରା ଏବଂ ଡେଲାଙ୍ଗ କୋଠବାଡ଼ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ମେଡିକାଲ ଓ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ପ୍ରତିଦିନ ଏହି ସେତୁ ଦେଇ ଲୋକମାନଙ୍କ ଯାତାୟାତ ହୋଇଥାଏ।
ସେତୁର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଶୀଘ୍ର ସେତୁର ମରାମତି କରିବାକୁ ସେମାନେ ଦାବି କରିଛନ୍ତି।


