ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମୋହନ ଚରଣ ମାଝୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଅଶ୍ୱିନୀ ବୈଷ୍ଣବ, ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଆଜି ପୁରୀ ରେଳ ଷ୍ଟେସନରୁ ‘ପୁରୀ-କୋରାପୁଟ ଏକ୍ସପ୍ରେସ ଉଦଘାଟନୀ ସ୍ପେଶାଲ ଏବଂ ବ୍ରହ୍ମପୁର ରେଳ ଷ୍ଟେସନରୁ ‘ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର-ଉଧନା ଟ୍ରେନ ଏବେ ସପ୍ତାହକୁ ତିନିଥର ବଦଳରେ ଦୈନିକ ଚଳାଚଳ କରିବ।
ଏହାଛଡ଼ା, ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ସ୍ଥିତ ରେଳ ସଦନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନାନ୍ଦେଡ-ମୁମ୍ବାଇ ଏବଂ ତାନକପୁର-ନାନ୍ଦେଡ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ। ଏଥିସହିତ ସେ ତାନକପୁର-ପିଲିଭିତ ଟ୍ରେନ ସେବାକୁ ଶାହଜାହାନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଉଦଘାଟନ ମଧ୍ୟ କରିଥିଲେ, ଯାହା ଦେଶବ୍ୟାପୀ ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏହି ସେବାଗୁଡ଼ିକର ଉଦଘାଟନ ବ୍ୟତୀତ, ମୁଖ୍ୟମନ୍ତ୍ରୀ ଏବଂ ରେଳ ମନ୍ତ୍ରୀ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ପୁରୀ ରେଳ ଷ୍ଟେସନର ଚାଲିଥିବା ପୁନଃଉନ୍ନୟନ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ ଏବଂ ଚାଲିଥିବା ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେମାନେ ଷ୍ଟେସନ ପୁନଃଉନ୍ନୟନର ଅଗ୍ରଗତି ଆକଳନ କରିବା ସହ ରଥଯାତ୍ରା ସମୟରେ ପୁରୀ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ନିରାପଦ, ସୁଗମ ଏବଂ ଆରାମଦାୟକ ଯାତ୍ରା ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ରେଳ ମନ୍ତ୍ରୀ ଭିଡ଼ ପରିଚାଳନା, ଯାତ୍ରୀଙ୍କ ଚଳାଚଳ, କାର୍ଯ୍ୟ ପ୍ରସ୍ତୁତି ଏବଂ ଯାତ୍ରୀ ସୁବିଧାଗୁଡ଼ିକର ସମୀକ୍ଷା କରିଥିଲେ। ବରିଷ୍ଠ ରେଳ ଅଧିକାରୀମାନେ ଅତିଥିମାନଙ୍କୁ ଯୋଜନା କରାଯାଇଥିବା ବିଭନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସେ ସୂଚନା ଦେଇଛନ୍ତି ଯେ, ଭାରତୀୟ ରେଳବାଇ ରଥଯାତ୍ରା ସମୟରେ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ଯୋଜନା କରିଛି। ଏହା ବ୍ୟତୀତ ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ଅପେକ୍ଷା ସ୍ଥଳ (ହୋଲ୍ଡିଂ ଏରିଆ), ଅତିରିକ୍ତ ଟିକେଟ କାଉଣ୍ଟର, ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଏବଂ ଉନ୍ନତ ସୁରକ୍ଷା ଓ ଯାତ୍ରୀ ସୁବିଧା ସୁନିଶ୍ଚିତ କରାଯାଇଛି।
ନୂତନ ଭାବେ ଆରମ୍ଭ ହୋଇଥିବା ପୁରୀ-କୋରାପୁଟ ଏକ୍ସପ୍ରେସ ପବିତ୍ର ସହର ପୁରୀ ଏବଂ ଆଦିବାସୀ ଅଧ୍ୟୁଷିତ କୋରାପୁଟ ମଧ୍ୟରେ ସିଧାସଳଖ ରେଳ ଯୋଗାଯୋଗ ପ୍ରଦାନ କରି ଏକ ଦୀର୍ଘଦିନର ଆଶା ପୂରଣ କରିଛି। ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମ୍ମା ଏବଂ ଦାମନଯୋଡ଼ି ଦେଇ ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବା ସହିତ ଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଉପକୃତ କରିବ।
ଏହି ଉଦଘାଟନୀ ସେବା ନିୟମିତ ଟ୍ରେନ ନମ୍ବର ୧୮୪୦୭/୧୮୪୦୮ ପୁରୀ-କୋରାପୁଟ-ପୁରୀ ଏକ୍ସପ୍ରେସର ବିସ୍ତୃତ ସମୟସାରଣୀ ପୃଥକ ଭାବେ ବିଜ୍ଞପିତ କରାଯିବ। ଏହି ଟ୍ରେନ ପୁରୀରୁ ସୋମବାର, ଗୁରୁବାର ଏବଂ ଶନିବାର ଏବଂ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ।
ଓଡ଼ିଶାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜୁରାଟ ସହିତ ସଂଯୋଗ କରୁଥିବା ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଶ୍ରମିକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗ ପାଲଟିଛି। ଏହାକୁ ଦୈନିକ ସେବାରେ ପରିଣତ କରିବା ଦ୍ୱାରା ଯାତ୍ରା ସୁବିଧା ବୃଦ୍ଧି ପାଇବ, ପ୍ରମୁଖ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ସହିତ ସଂଯୋଗ ମଜବୁତ ହେବ ଏବଂ ବାଣିଜ୍ୟ, ନିଯୁକ୍ତି ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ।
ଏହି କାର୍ଯ୍ୟକ୍ରମ ସମୟରେ, ବ୍ରହ୍ମପୁରଠାରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରାୟ ୩୦୦ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ବ୍ରହ୍ମପୁର ରେଳ ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଭାବେ ବିକଶିତ କରାଯିବ।
ଏହି ପୁନଃବିକଶିତ ଷ୍ଟେସନରେ ଅତ୍ୟାଧୁନିକ ଯାତ୍ରୀ ସୁବିଧା, ଆଧୁନିକ ସ୍ଥାପତ୍ୟ କଳା, ଉନ୍ନତ ସୁଗମତା ଏବଂ ମଲ୍ଟିମୋଡାଲ୍ ସଂଯୋଗୀକରଣ ରହିବ, ଯାହା ଏହାକୁ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପ୍ରବେଶ ଦ୍ୱାର ଭାବେ ଗଢ଼ି ତୋଳିବ।
ଏହି ପୁନଃବିକଶିତ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଯୋଗଦେବା ପାଇଁ ସେ ପୁଣି ଥରେ ବ୍ରହ୍ମପୁର ଗସ୍ତ କରିବେ ବୋଲି ମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇଛନ୍ତି, ଯାହା ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି।
ଏହି ପଦକ୍ଷେପଗୁଡ଼ିକ ରେଳ ଯୋଗାଯୋଗର ସମ୍ପ୍ରସାରଣ, ଯାତ୍ରୀ ସୁବିଧାର ଉନ୍ନତି ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ସମର୍ଥନ କରିବା ଦିଗରେ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପୁନଃ ସୁନିଶ୍ଚିତ କରୁଛି। ଏହି ନୂତନ ଟ୍ରେନ ସେବା, ବର୍ଦ୍ଧିତ ଚଳାଚଳ ଏବଂ ରଥଯାତ୍ରା ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ମିଳିତ ଭାବେ ପର୍ଯ୍ୟଟନ, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ, ଯାହା ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ର ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହେବ।


