ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚୁଥିବା ଜଣେ ସଶସ୍ତ୍ର ଯୁବକଙ୍କୁ ହ୍ୱାଇଟ୍ ହାଉସ୍ ନିକଟରୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଗିରଫ ଯୁବକଙ୍କ ନିକଟରୁ ୩ଟି ମାରାତ୍ମକ ବନ୍ଧୁକ ଏବଂ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ମାନସିକ ଅସୁସ୍ଥତା କାରଣରୁ ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଆସିଥିବା ନେଇ ପୁଲିସ ଆଗରେ ସ୍ୱୀକାର କରିବା ପରେ ଏହି ଘଟଣା ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ଆମେରିକାର ଗୃହ ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ଶୁକ୍ରବାର ରାତିରେ ହ୍ବାଇଟ୍ ହାଉସ ନିକଟରେ ଠିଆ ହୋଇଥିବା ଏକ ସନ୍ଦେହଜନକ ଗାଡ଼ି ଭିତରେ ଯୁବକଜଣଙ୍କୁ ଦେଖି ଗୁପ୍ତସେବା ବା ସିକ୍ରେଟ୍ ସର୍ଭିସ୍ର ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ଗିରଫ ଯୁବକଙ୍କ ନାମ ରୋନି ୟୋର୍ଡ୍ରିକ୍ସ ଗୁଆନିପା ଚ୍ରିନୋସ୍। ସେ ପୁଲିସ ଜେରା ସମୟରେ କହିଛନ୍ତି ଯେ ତାଙ୍କ ମୁଣ୍ଡ ଭିତରେ କିଛି ଅଦୃଶ୍ୟ ଶବ୍ଦ ଶୁଣାଯାଉଥିଲା, ଯାହା ତାଙ୍କୁ ୱାଶିଂଟନ୍ ଆସି ରିପବ୍ଲିକାନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଉଥିଲା। ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୩ଟି ମାରାତ୍ମକ ବୋମା-ବନ୍ଦୂକ ଏବଂ ବହୁ ସଂଖ୍ୟାରେ ଗୁଳି ଜବତ ହୋଇଥିଲା। ଏପରିକି ସେ ବ୍ୟବହାର କରୁଥିବା ଗାଡ଼ିଟି ମଧ୍ୟ ଚୋରି ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଗୃହ ସୁରକ୍ଷା ବିଭାଗର ସୂଚନା ଅନୁଯାୟୀ, ଗିରଫ ଚ୍ରିନୋସ୍ ଜଣେ ଭେନେଜୁଏଲା ନାଗରିକ, ଯିଏ ୨୦୨୪ ମାର୍ଚ୍ଚ ମାସରେ ଟେକ୍ସାସ ଦେଇ ବେଆଇନ ଭାବେ ଆମେରିକା ମଧ୍ୟକୁ ପ୍ରବେଶ କରିଥିଲେ। ବର୍ତ୍ତମାନ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆମେରିକା ମାର୍ଶଲ ସର୍ଭିସ ଜିମ୍ମାରେ ରଖାଯାଇଛି। ଗୃହ ସୁରକ୍ଷା ସଚିବ ମାର୍କୱେନ୍ ମୁଲିନ୍ କହିଛନ୍ତି ଯେ ସାହସୀ ସୁରକ୍ଷାକର୍ମୀଙ୍କ ତତ୍ପରତା ଯୋଗୁଁ ଏହି ବେଆଇନ ଅନୁପ୍ରବେଶକାରୀ କୌଣସି ବଡ଼ ଧରଣର କ୍ଷତି କରିବା ପୂର୍ବରୁ ଧରାପଡ଼ିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର ପ୍ରତି ବାରମ୍ବାର ବିପଦ ସୃଷ୍ଟି ହେଉଥିବା ବେଳେ, ଏହି ଗିରଫଦାରୀକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା କୁହାଯାଉଛି।


