ଯାଜପୁର: ଲଗାଣ ବର୍ଷା ପ୍ରଭାବରେ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଚିନ୍ତା ବଢ଼ିଛି। ଦଶରଥପୁର ବ୍ଲକ୍ର କଣ୍ଟାପଡା ନିକଟରେ କାଣୀ ନଦୀରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିବାରୁ ଆଖପାଖ ଅଞ୍ଚଳର ଚାଷ ଜମିରେ ବନ୍ୟା ପାଣି ମାଡ଼ିଯାଇଛି।
ଘାଇ ସୃଷ୍ଟି ହେବା ପରେ ମଳିକାପୁର, ଦୁଦୁରାଅଣ୍ଟା ଓ ମହାନ୍ତିପାଟଣା ଗାଁର ବିସ୍ତୀର୍ଣ୍ଣ ଚାଷ ଜମି ଜଳମଗ୍ନ ହୋଇଛି। ଏଥିରେ ଚାଷୀମାନଙ୍କ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଛି।
ଏପଟେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳରେ ଛୋଟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ପୂର୍ବରୁ ଏହି ସମ୍ଭାବନା ନେଇ ସୂଚନା ଦେଇଥିଲେ। ତାଙ୍କ କହିବା ଅନୁସାରେ, ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ତଳିଆ ଅଞ୍ଚଳଗୁଡ଼ିକ ପ୍ରଭାବିତ ହୋଇପାରେ। ବିଶେଷକରି ଖଇରମାଳରୁ ବରଗଡ଼ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ସ୍ଥାନୀୟ ନଦୀ ଓ ନାଳଗୁଡ଼ିକରେ ଜଳପ୍ରବାହ ବଢ଼ିଛି ବୋଲି ସେ କହିଥିଲେ। ପ୍ରଶାସନ ପକ୍ଷରୁ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


