ମୁନିଗଡା : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଅଞ୍ଚଳର ବୁଜିବାଙ୍ଗ ଝରଣାରେ ସେଲଫି ନେବା ବେଳେ ଘଟିଛି ଅଘଟଣ। ଝରଣା ନିକଟରେ ସେଲଫି ଉଠାଉଥିବା ସମୟରେ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ମୃତ ଛାତ୍ର ଅମ୍ବାଦଳା ଅଞ୍ଚଳର କୁଲେରପଟ୍ଟା ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି। ସେଲଫି ନେବା ବେଳେ ସନ୍ତୁଳନ ହରାଇ ତଳକୁ ଖସିପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ।
ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ତେବେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି। ସେହିପରି ପର୍ଯ୍ୟଟନସ୍ଥଳରେ ସେଲଫି ନେବା ବେଳେ ସୁରକ୍ଷା ପ୍ରତି ସଚେତନ ରହିବାକୁ ସ୍ଥାନୀୟ ଲୋକମାନେ ପରାମର୍ଶ ଦେଇଛନ୍ତି।


