ଭୁବନେଶ୍ବର: କିମ୍ୱଦନ୍ତୀ ଗାୟିକା ଏସ ଜାନକୀ ଙ୍କର କର୍ଣ୍ଣାଟକ ର ମହୀଶୂର ରେ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ବୟସାଧିକ ରୋଗରେ ପିଡିତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି।
ଏସ ଜାନକୀ ଓଡିଆ ସହିତ ୨୦ ଟି ଭିନ୍ନ ଭିନ୍ନ ଭାଷାରେ ଗୀତ ଗାଇଛନ୍ତି। ସେ ଭାରତୀୟ ସଂଗୀତ ଇତିହାସ ରେ ସବୁଠାରୁ ପ୍ରତିଭାଶାଳୀ ଗାୟିକା ଥିଲେ। ଦକ୍ଷିଣ ଭାରତର ‘ମେଲୋଡ଼ି କୁଇନ୍’ ଭାବେ ପରିଚିତ ଏସ୍. ଜାନକୀ ତେଲୁଗୁ, ତାମିଲ, ହିନ୍ଦୀ, ଓଡ଼ିଆ, ବଙ୍ଗଳା ପରି ବହୁଭାଷାରେ ପ୍ରଚ୍ଛଦପଟ ଗାୟିକା ଭାବେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ଛୁଇଁପାରିଛନ୍ତି।
ଓଡିଆରେ ‘ନେଇ ଯାଆ..ରେ ମେଘ ମୋତେ’, ମନ ହଜିଯାଏ, ଜନନୀ..ଭବନୀ.., ଆଜି ଏ ମନ ଛନଛନ୍, କାଉ ଧାନ ଖାଇଲା ବୋଲି.. ପ୍ରଭୃତି ବହୁ ଓଡିଆ ଗୀତର ସେ ଥିଲେ ଗାୟିକା। ଏଯାବତ୍ ସେ ୨୦ ହଜାରରୁ ଉର୍ଦ୍ଧ ଗୀତ ଗାଇ ସାରିଛନ୍ତି। କେବଳ ଜଣେ ଗାୟିକା ଭାବେ ନୁହେଁ ସଂଗୀତ ନିର୍ଦ୍ଦେଶକ ଏବଂ ଗୀତିକାର ଭାବେ ତାଙ୍କର ପରିଚୟ ମଧ୍ୟ ରହିଛି।
୧୯୩୮ ଏପ୍ରିଲ ୨୩ ତାରିଖରେ ଆନ୍ଧ୍ର ପ୍ରଦେଶ ର ଗୁଣ୍ଠୁର ଜିଲ୍ଲା ପଲ୍ଲାପଟଲା ରେ ଜନ୍ମ ଗ୍ରହଣ କରିଥିଲେ । ସେ ତିନିବର୍ଷରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ପିଲାଟି ଦିନରୁ ନିଜର ପ୍ରତିଭା ତାମିଲ ଫିଲ୍ମ ରେ ପ୍ରଦର୍ଶନ କରି ପାରିଥିଲେ । ୧୯୫୭ ରେ ସେ ତାମିଲ୍ ଫିଲ୍ମ ‘ଭିଧିୟନ ଭିଲୟତୁ’ ରେ ପ୍ରଥମଥର ଗାଇବା ପାଇଁ ସୁଯୋଗ ପାଇଲେ। ତା’ ପରଠାରୁ କେବେ ଆଉ ପଛକୁ ଫେରିଚାହିଁ ନାହାଁନ୍ତି ସେ । ୨୦୧୩ ମସିହାରେ ଭାରତ ସରକାର ଙ୍କ ଠାରୁ ପଦ୍ମ ଭୂଷଣ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିଲେ କିନ୍ତୁ ଏହି ପୁରସ୍କାର ଗ୍ରହଣ କରି ନ ଥିଲେ।
ତେଲୁଗୁ, ତାମିଲ, ଓଡ଼ିଆ, ବଙ୍ଗଳାକୁ ବାଦ୍ ଦେଲେ ଇଂରାଜୀ, କୋଙ୍କଣୀ, ସିଂହଳୀ, ଟୁଲୁ, ସୌରାଷ୍ଟ ଏପରିକି ଜର୍ମାନ ଭାଷାରେ ସେ ଅନେକ ଗୀତ ରଚନା କରିଛନ୍ତି । ଜାନକୀ ତାଙ୍କର କୃତିତ୍ଵ ପାଇଁ ଚାରିଥର ଶ୍ରେଷ୍ଠ ଗାୟିକା ଭାବେ ଜାତୀୟ ସମ୍ମାନ ପାଇଛନ୍ତି । ଏହା ବାଦ୍ ସେ ତାମଲିନାଡୁ ରାଜ୍ୟ ପୁରସ୍କାର ସାତ ଥର, କେରଳ ରାଜ୍ୟ ସମ୍ମାନ ଚଉଦ ଥର ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ସମ୍ମାନ ଦଶ ଥର ପାଇଛନ୍ତି । ଜାନକୀଙ୍କ ସୁଲଳିତ କଣ୍ଠର ଅନେକ ନିଆରା ସଙ୍ଗୀତ ଆଜି ବି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦିଏ।


