ନୂଆଦିଲ୍ଲୀ: ୨୦୨୪ ମସିହା ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ଫିଚର ଫିଲ୍ମ, ଅଣ-ଫିଚର ଫିଲ୍ମ ଏବଂ ସିନେମା ଉପରେ ଲେଖା ଆଦି ବର୍ଗରେ ଏହି ସମ୍ମାନ ଘୋଷଣା କରାଯାଇଛି। “ଆର୍ଟିକାଲ ୩୭୦” ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ଜିତିଥିବା ବେଳେ ‘ଭଙ୍ଗାର’କୁ ଶ୍ରେଷ୍ଠ ଅଣ-ଫିଚର ଫିଲ୍ମ ଏବଂ ‘ରାମ-ନାମୀ’କୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନିତ କରାଯାଇଛି।
‘ଆର୍ଟିକିଲ୍ ୩୭୦’ ପାଇଁ ୟମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ‘ଚନ୍ଦୁ ଚାମ୍ପିଅନ୍’ ପାଇଁ କାର୍ତ୍ତିକ୍ ଆର୍ଯ୍ୟନ୍ ଏବଂ ‘ବ୍ରମାୟୁଗମ୍’ ଲାଗି ମାମୁଟି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ‘ସ୍ୱାତନ୍ତ୍ର୍ୟ ବୀର ସାଭରକର’ ଚଳଚ୍ଚିତ୍ର ପାଇଁ ରଣଦୀପ ହୁଡା ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକ ପୁରସ୍କାର ପାଇବେ।
ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’କୁ ୨୦୨୪ ବର୍ଷ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ପୁରସ୍କାର ବାବଦରେ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଏବଂ ରଜତ କମଳ ପ୍ରଦାନ କରାଯିବ।
‘କଳକି ୨୮୯୮ ଏଡି’ (ତେଲୁଗୁ)କୁ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ଭାବେ ଜାତୀୟ ସମ୍ମାନ ମିଳିବ । ଜାତୀୟ, ସାମାଜିକ ଓ ପରିବେଶଗତ ଆଦର୍ଶର ପ୍ରୋତ୍ସାହନ ଲାଗି ‘କ୍ୟାପ୍ଟେନ୍ ମିଲର’ (ତାମିଲ)କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବ । ସମ୍ପାଦନା ବର୍ଗରେ ମଧ୍ୟ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ପୁରସ୍କାର ପାଇବ । ତେଲୁଗୁ ଭାଷୀ ଚଳଚ୍ଚିତ୍ର ‘ଚିନ୍ନା କତା କାଦୁ’ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ଲାଗି ଚୟନ କରାଯାଇଛି । ତାମିଲ ଚଳଚ୍ଚିତ୍ର ‘ଅମରନ’ ପାଇଁ ରାଜକୁମାର ପେରିସାମୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ମିଳିବ । ସେହିପରି ସଞ୍ଜୟ ମିଶ୍ରା ‘ଭକ୍ଷକ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇବେ। ‘ପୁଷ୍ପା: ଦି ରୁଲ୍ ପାର୍ଟ-୨’କୁ ଶ୍ରେଷ୍ଠ ସ୍କ୍ରିନ୍ପ୍ଲେ, ‘ସ୍ତ୍ରୀ-୨’ ଚଳଚ୍ଚିତ୍ରର ‘ଆଜ୍ କି ରାତ୍’ ଗୀତକୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା, ହିନ୍ଦୀ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା-୩’କୁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ପୁରସ୍କାର ପାଇଁ ମନୋନିତ କରାଯାଇଛି।


