ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ କେନ୍ଦ୍ରକରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଆନ୍ଦୋଳନକୁ ଓଡ଼ିଶାର ସର୍ବବୃହତ ଗଣ ସଙ୍ଗଠନ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ନୈତିକ ସମର୍ଥନ ଜଣାଇଛି।
ସୂଚନାଥାଉକି, ନିଟ୍ ବିଭ୍ରାଟକୁ ନେଇ ଯନ୍ତରମନ୍ତରରେ ଚାଲିଥିବା ପ୍ରତିବାଦ ଆଜି ୨୫ ତମ ଦିନରେ ପହଞ୍ଚିଛି। ଜୁଲାଇ ୨୦ ରେ ପୁଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ ପରେ ପ୍ରତିବାଦ ଥମିବା ବଦଳରେ ଆହୁରି ଜୋରଦାର ହେବାକୁ ଲାଗୁଛି।
ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଯାହାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଦ୍ରୁତଗତିରେ ପ୍ରଚାର ପ୍ରସାର ହେଉଛି। ଯାହା ଫଳରେ ଅଧିକ ସଂଖ୍ୟାରେ ଯୁବପିଢ଼ି, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଆନ୍ଦୋଳନରେ ସାମିଲ ହେବାରେ ଲାଗିଛନ୍ତି। ଅନେକ ଅନ୍ଦୋଳନକାରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସହ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି କରୁଛନ୍ତି। ଆନ୍ଦୋଳନ ଏବେ ସାରା ଦେଶରେ ବ୍ୟାପିବାରେ ଲାଗିଛି। ଆମ ରାଜ୍ୟ ସମେତ ବିହାର ରାଜଧାନୀ ପାଟନା, ମୁମ୍ବାଇ ଏବଂ କୋଲକାତାରେ ମଧ୍ୟ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ବିଦେଶରେ ମଧ୍ୟ କକ୍ରୋଚ ଜନତା ପାର୍ଟି ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା କଥା ସାମାଜିକ ଗଣମାଧ୍ୟରୁ ଶୁଣିବାକୁ ମିଳିଛି।
ଅନ୍ୟପକ୍ଷରେ ଯନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ମଧ୍ୟରେ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ଯୁବକ ଅନଲାଇନ୍ରେ ଖାଦ୍ୟ ଅର୍ଡ଼ର କରି ପ୍ରତିବାଦକାରୀଙ୍କ ପାଇଁ ପଠାଇଥିବା ବେଳେ ପ୍ରବଳ ବର୍ଷା ସତ୍ତ୍ୱେ ଜଣେ ଖାଦ୍ୟ ବିତରଣ କର୍ମୀ ସେହି ଖାଦ୍ୟ ନେଇ ଯନ୍ତରମନ୍ତରରେ ପହଞ୍ଚାଇଥିବା କଥା ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ଦେଖିବାକୁ ମିଳିଛି।
ଅନ୍ୟ ପକ୍ଷରେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛିକି, ବିଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୫୨ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ କାହାରିକୁ ଦଣ୍ଡିତ କରାଯାଇ ନାହିଁ। ହାରାହାରି ପ୍ରତି ମାସରେ ଗୋଟିଏ ପ୍ରଶ୍ନପତ୍ର ଲିକ୍ ହେଉଛି ଏବଂ ଏହାଦ୍ୱାରା ପ୍ରାୟ ସାଢ଼େ ସାତକୋଟି ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପରିବାର ପ୍ରଭାବିତ ହେଉଛନ୍ତି। ଶିକ୍ଷା ବ୍ୟବସ୍ଥା ଆଜି ନଷ୍ଟ ହେଉଥିବା କଥା ଅଭିଯୋଗ ମଧ୍ୟ ହୋଇଛି। ଜୁଲାଇ ୨୦ରେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରାଯାଇଛି। ଏହି ବ୍ୟବସ୍ଥା କେବଳ ଜାଲିଆତି ନୁହେଁ, ବରଂ ଅତ୍ୟନ୍ତ ବ୍ୟୟବହୁଳ ମଧ୍ୟ। ପ୍ରତିବର୍ଷ ନିଟ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପରିବାର ପ୍ରାୟ ୧.୩୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ଦେଶର ସମଗ୍ର ଶିକ୍ଷା ବଜେଟ୍ ସହ ପ୍ରାୟ ସମାନ। ପ୍ରଶ୍ନପତ୍ର ପ୍ରଘଟ ହେବା ଫଳରେ ଗରୀବ ମେଧାବୀ ଛାତ୍ରଟିଏ ଉପଯୁକ୍ତ ପଦ ପାଇବାରୁ ବଞ୍ଚିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।
ଦେଶରେ ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ବିଫଳତାକୁ ନେଇ ସମଗ୍ର ଦେଶର ବିଭିନ୍ନ ପ୍ରଦେଶରେ ଚାଲିଥିବା ଆନ୍ଦୋଳନ ଯଥାର୍ଥ ଓ ଯୁକ୍ତିଯୁକ୍ତ ବୋଲି ସମନ୍ୱୟ ସମିତି ପକ୍ଷରୁ ଦର୍ଶାଯାଇଛି। ଅଗଣିତ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହିତ କେନ୍ଦ୍ର ସରକାର ଖେଳ ନଖେଳି ସେମାନଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁୁ ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତି ଜରିଆରେ ଜଣାଇଛନ୍ତି।


