ଭୁବନେଶ୍ୱର: ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୭ ପାଇଁ ଫର୍ମପୂରଣ ଅବଧିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଏବେ ଆସନ୍ତା ନଭେମ୍ବର ୧୪ ତାରିଖ ଯାଏ ବିନା ଲେଟ୍ ଫି’ରେ ଫର୍ମ ପୂରଣ କରିପାରିବେ। ପୂର୍ବରୁ ଫର୍ମପୂରଣର ଶେଷ ତାରିଖ ନଭେମ୍ବର ୧୧ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ରାଜ୍ୟରେ ବାତ୍ୟା ଅର୍ଣ୍ଣବ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ସମସ୍ୟାର ସମ୍ମୁଖୀନ ହୋଇଥିବା ଏବଂ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିବାରୁ ପରିଷଦ ଏହି ନିଷ୍ପତ୍ତି ନେଇଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ସହ ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଛାତ୍ରଛାତ୍ରୀମାନେ ଏହି ସୁଯୋଗ ପାଇବେ। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ବିଜ୍ଞପ୍ତି ଅନୁସାରେ, ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଧାନମାନଙ୍କୁ ନୂଆ ସମୟସୀମା ଭିତରେ ବିନା ଜରିମାନାରେ ଫର୍ମପୂରଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବାକି ସମସ୍ତ ପରୀକ୍ଷା କାର୍ଯ୍ୟସୂଚୀ ପୂର୍ବଭଳି ଅପରିବର୍ତ୍ତିତ ରହିବ। ପରିଷଦର ଏହି ପଦକ୍ଷେପ ଫର୍ମ ପୂରଣରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।


