ଭୁବନେଶ୍ୱର: ଭୁବନେଶ୍ବର ରେଳ ଷ୍ଟେସନ୍ରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ପାଇଁ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଥିଲା। ଏହି ଗସ୍ତ ପାଇଁ ଦିଲ୍ଲୀରୁ ୩ଟି ସ୍ଵତନ୍ତ୍ର ଟ୍ରେନ ଆସିଛି । ଟ୍ରେନଟି ସକାଳ ୧୧ଟା ୧୦ ମିନିଟରେ ପହଞ୍ଚିବେ । ସେଠାରୁ ସେ କାରରେ ତପ୍ତପାଣି ଯିବେ । ବ୍ରହ୍ମପୁର ଗସ୍ତ ସମୟରେ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଏବଂ ଶିବ ମନ୍ଦିରରେ ଦର୍ଶନ କରିବେ। ସେଠାରେ ସେ ଆଳତି କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଶେଷ କରି ରାଷ୍ଟ୍ରପତି ଅଗଷ୍ଟ ୫ରେ ନୂଆଦିଲ୍ଲୀ ଫେରିଯିବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଅଗଷ୍ଟ ୩ରୁ ଆରମ୍ଭ ହୋଇଥିବା ଏହି ଗସ୍ତ ଅଗଷ୍ଟ ୫ ପର୍ଯ୍ୟନ୍ତ ଚାଲିବ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।


