ଭଦ୍ରକ: ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ରାଜଘାଟ ପୋଲ ନିକଟରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୬.୮୦ ଫୁଟ ରହିଥିବା ବେଳେ ବିପଦ ସଙ୍କେତ ୧୭ ଫୁଟ।
ସାଳନ୍ଦୀ ଓ ନାଳିଆ ନଦୀର ବନ୍ୟାଜଳରେ ଅର୍ଣ୍ଣପାଳ ପଞ୍ଚାୟତର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜମୁକୁନ୍ଦପୁର ପୋଲ ଉପରେ ପ୍ରାୟ ୩ ଫୁଟ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ଶହଶହ ହେକ୍ଟର ଚାଷଜମି ମଧ୍ୟ ବୁଡ଼ିଯାଇଛି।
ହଦଗଡ଼ ଡ୍ୟାମ୍ରୁ ଜଳ ନିଷ୍କାସନ ଯୋଗୁଁ ଧାମନଗରର ଇଟାପାଳ ନିକଟରେ ନଦୀବନ୍ଧରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି। ଭଦ୍ରକ ସହରର ବିଭିନ୍ନ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି। ଅନ୍ୟପଟେ ବୈତରଣୀ ନଦୀ ମଧ୍ୟ ବିପଦ ସଙ୍କେତ ଅତିକ୍ରମ କରିଛି। ଫଳରେ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।


