Categories
ଆଜିର ଖବର ରାଜ୍ୟ ଖବର

ଆସିଲା ମୌସୁମୀ, ବନ୍ୟା ଆଶଙ୍କାରେ ଜଳ ସଂପଦ ବିଭାଗର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର, ଆଗାମୀ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ଫଳରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ବିଭାଗୀୟ ବ୍ୟାପକ ପ୍ରସ୍ତୁତି ସଂପର୍କରେ ଆଜି ଏକ ବୈଠକରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ସ୍ଥିତି ସମୀକ୍ଷା କରିଛନ୍ତି ।

ବୈଠକରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା, ନଦୀବନ୍ଧର ଦୃଢତା, ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବିଭିନ୍ନ ସ୍ଥାନରେ ବାଲିବସ୍ତା, ବଲ୍ଲା, ବାଉଁଶ ଆଦି ଉପକରଣର ମହଜୁଦ ସ୍ଥାନ ଓ ପରିମାଣ ଆଦି ସଂପର୍କରେ ପ୍ରମୁଖ ଶାସନ ସଚିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପରେ ବଢୁଛି ବିଭିନ୍ନ ନଦୀର ଜଳ ପତନ, ତେବେ ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ବର, ଇତିମଧ୍ୟରେ ସାମୁଦ୍ରିକ ବାତ୍ୟା ‘ୟସ’ ଓଡ଼ିଶା ଅତିକ୍ରମ କରି ଝାଡଖଣ୍ଡ ରାଜ୍ୟକୁ ଚାଲିଯାଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବୃଷ୍ଟିପାତ ଯୋଗୁଁ କେତେକ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ମୟୁରଭଞ୍ଜ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧିପାଇଥିଲେ ସୁଦ୍ଧା ବନ୍ୟା ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆନନ୍ଦପୁର ଓ ଆଖୁଆପଦା ଠାରେ ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ଠାରେ ଜଳସ୍ତର ୩୯.୦୮ ମିଟର ଥିବାବେଳେ ଆଖୁଆପଦା ଠାରେ ୧୭.୯୨ ମି. ରହିଥିବା ସୂଚନା ମିଳିଛି । ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଦେଖେଦେଲେ ବିଶେଷ ଭାବେ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇପାରେ ବୋଲି ଏସଆରସି  କହିଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ତଳୁଆ ଅଂଚଳ ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ଓ ଆବଶ୍ୟକସ୍ଥଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏହା ଉପରେ ଜଳ ସଂପଦ ବିଭାଗ ତରଫରୁ ନଦୀବନ୍ଧ ଉପରେ ନଜର ରଖାଯାଇଛି ।

ଜିଲ୍ଲାଗୁଡିକ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୧୨୭ ମି.ମି., ସୁନ୍ଦରଗଡରେ ୧୦୧ମି.ମି., ମୟୁରଭଞ୍ଜରେ ୯୬ ମି.ମି. ଓ ଦେଓଗଡରେ ୯୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ସମୟ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକରେ ପ୍ରାୟ ୫୧୫ ମି.ମି., ଭଦ୍ରକର ଚାନ୍ଦବାଲି ବ୍ଲକରେ ୪୨୭ମି.ମି., କେନ୍ଦ୍ରାପଡାର ରାଜନଗର ବ୍ଲକରେ ୪୨୦ ମି.ମି. ଏବଂ ରାଜକନିକା ବ୍ଲକରେ ୪୦୬ ମି.ମି., ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ୩୭୭ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪୬ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି । ରାଜ୍ୟର ୮ଟି ବ୍ଲକରେ ୨୦୦ମି.ମି. ରୁ ଅଧିକ ବୃଷ୍ଟିପାତ ହୋଇଥିବାବେଳେ ୨୮ଟି ବ୍ଲକରେ ୧୦୦ମି.ମି. ରୁ ଅଧିକ ୨୦୦ମି.ମି. ରୁ କମ୍ ଓ ୩୭ ଟି ବ୍ଲକରେ ୬୩ ମି.ମି ରୁ ଅଧିକ ୧୦୦ମି.ମି. ରୁ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଛି ।

ବାଲେଶ୍ୱର ଜିଲ୍ଲାରେ ୧ ଲକ୍ଷ ୯୦ ହଜାର, ଭଦ୍ରକ ଜିଲ୍ଲାରେ ୧ ଲକ୍ଷ ୩୭ ହଜାର, କେନ୍ଦ୍ରାପଡା ୧ଲକ୍ଷ ୫ ହଜାର ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଓ ଅନ୍ୟ ପ୍ରଭାବିତ ଜିଲ୍ଲାମାନଙ୍କୁ ମିଶାଇ ପାଖାପାଖି ୭ ଲକ୍ଷ ୩ ହଜାର ଲୋକଙ୍କୁ ବିପଦସଂକୁଳ ସ୍ଥାନରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଆର ପାଣି ବା ବର୍ଷା ଯୋଗୁଁ ଜଳମଗ୍ନ ହୋଇଥିବା ୧୨୮ଗ୍ରାମରେ ୭ଦିନ ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯିବ ।

ଜଳ ନିଷ୍କାସନ ପାଇଁ କଟା ଯାଇଥିବା ରାସ୍ତାଗୁଡିକୁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍ଷରୁ ଆଜି ରାତି ସୁଦ୍ଧା ମରାମତି କରାଯିବ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପାଣିଘେରରେ ଥିବା ରାସ୍ତାଗୁଡିକ ପାଣି କମିବା ପରେ ତୁରନ୍ତ ମରାମତି କରାଯିବ । ପାଣି ଘେରରେ ଥିବା ଗ୍ରାମରେ ଯେପରି ପାନୀୟ ଜଳ ସମସ୍ୟା ନହୁଏ ସେଥିପାଇଁ ଅତିରିକ୍ତ ୧୦୦ଟି ଅଧିକ ମୋବାଇଲ୍ ଟ୍ୟାଙ୍କର ପଠାଯାଇଛି ।

ଉପୁଡି ପଡିଥିବା ଗଛ କଟାଯାଇ ରାସ୍ତାର ଯୋଗାଯୋଗ ସୁବିଧା କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶକ୍ତିବିଭାଗ ପକ୍ଷରୁ ଆଜି ରାତି ୯ଟା ସୁଦ୍ଧା ସମସ୍ତ ବାତ୍ୟା ପ୍ରଭାବିତ ଅଂଚଳରେ ୮୦% ବିଦ୍ୟୁତ ସଂଯୋଗ କାର୍ଯ୍ୟ ଶେଷ କରାଯିବ । ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ବିବରଣୀ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଏହି ବାତ୍ୟା ସମୟରେ ସମସ୍ତ କୋଭିଡ୍ କେୟାର ସେଣ୍ଟର ସଠିକ୍ ପରିଚାଳନା କରାଯାଇଛି। ପଯ୍ୟାପ୍ତ ଔଷଧ, ଚିକିତ୍ସା, ଇଂଜେକସନ, ଅକ୍ସିଜେନର କୌଣସି ଅସୁବିଧା ହୋଇନାହିଁ । ଏପରିକି ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇବା ସହ ନିଜ ରାଜ୍ୟରେ ମଧ୍ୟ ଅକ୍ସିଜେନ ମହଜୁଦ ରଖିବା ପାଇଁ ସରକାର ସକ୍ଷମ ହୋଇଛନ୍ତି । ସଂକ୍ରମଣ ରୋକିବା ପାଇଁ ଆଶ୍ରୟସ୍ଥଳୀରେ ସମସ୍ତ କୋଭିଡ ନିୟମ ପାଳନ କରାଯାଇଛି । ଏହି ସମୟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା, ଅଙ୍ଗନୱାଡି କର୍ମୀ ଓ ଆର୍‌ଆରଟି ଟିମ୍ ଦ୍ୱାରା ଗ୍ରାମଗୁଡିକରେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।