ଗୌହାଟୀ: ଆସାମର କାଜିରଙ୍ଗା ନିକଟସ୍ଥ ରଙ୍ଗାଜାନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ମିନିବସ୍ ଏବଂ ମାଲବାହୀ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଭୟାବହ ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ମିନିବସଟି ବୋକାଖାତରୁ ନଗାଓଁ ଅଭିମୁଖେ ଯାତ୍ରା କରୁଥିଲା। ରଙ୍ଗାଜାନ ନିକଟରେ ଏକ ମାଲବାହୀ ଟ୍ରକ୍ ସହ ଏହାର ଜୋରଦାର ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ମିନିବସଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି ଏବଂ ଅନେକ ଯାତ୍ରୀ ଗାଡ଼ିର ଭଗ୍ନାବଶେଷ ଭିତରେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୨୭ ଜଣ ଯାତ୍ରୀ ବସିବାର କ୍ଷମତା ଥିବା ଏହି ଗାଡ଼ିରେ ୩୫ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ।
ଗୋଲାଘାଟ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ସ୍ୱପ୍ନନୀଳ ଡେକା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ଅତିକମରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ମଧ୍ୟ ବସର ଭଗ୍ନାବଶେଷ ଭିତରୁ ମୃତଦେହ ଗୁଡ଼ିକୁ ବାହାର କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୋହୋରା ଆଦର୍ଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଲାଗୁ ହୋଇଥିବା ବେଗ ନିୟନ୍ତ୍ରଣ କଟକଣାକୁ ଉଲ୍ଲଂଘନ କରି ମିନିବସଟି ଅତ୍ୟଧିକ ଦ୍ରୁତଗତିରେ ଯାଉଥିଲା। ଦ୍ରୁତଗତି କାରଣରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ସାମ୍ନାପଟୁ ଆସୁଥିବା କଣ୍ଟେନର ଟ୍ରକକୁ ଧକ୍କା ଦେଇଥିଲେ। ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କାଜିରଙ୍ଗାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଏହି ଅପୂରଣୀୟ କ୍ଷତି ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି ଏବଂ ପ୍ରିୟଜନଙ୍କୁ ହରାଇଥିବା ପ୍ରତ୍ୟେକ ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ରହିଛି। କୌଣସି ଶବ୍ଦ ସେମାନଙ୍କ ଦୁଃଖକୁ ଲାଘବ କରିପାରିବ ନାହିଁ, କିନ୍ତୁ ଏହି ଦୁଃଖଦ ମୁହୂର୍ତ୍ତରେ ସମଗ୍ର ଆସାମ ସେମାନଙ୍କ ସହ ଛିଡ଼ା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଆହତମାନଙ୍କୁ ବିନା ବିଳମ୍ବରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେବା ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଅତୁଲ ବୋରା ଘଟଣାସ୍ଥଳରେ ଉପସ୍ଥିତ ରହି ବ୍ୟକ୍ତିଗତ ଭାବେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଦେବାକୁ ପ୍ରାର୍ଥନା କରିଛନ୍ତି।


