ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ବେଆଇନ ବନ୍ଧୁକ କାରବାର ଚାଲିଥିବା ବେଳେ ସ୍ୱତନ୍ତ୍ର ଅପରାଧ ଶାଖା ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ୨ଟି ବନ୍ଧୁକ, ଗୋଟିଏ ମାଉଜର ଏବଂ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଏହା ସହିତ ବନ୍ଧୁକ ଚାଲାଣରେ ବ୍ୟବହୃତ ହେଉଥିବା ଏକ ଥାର୍ ଗାଡ଼ିକୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଅଞ୍ଚଳକୁ ବେଆଇନ ଭାବେ ବନ୍ଧୁକ ଚାଲାଣ ହେଉଥିବା ନେଇ ସ୍ୱତନ୍ତ୍ର ଅପରାଧ ଶାଖାକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଗୁପ୍ତ ସୂଚନାକୁ ଆଧାର କରି ପୋଲିସର ଏକ ସ୍ୱତନ୍ତ୍ର ଦଳ ସମ୍ପୃକ୍ତ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିଥିଲା। ଯୋଜନା ମୁତାବକ ଏକ ସନ୍ଦିଗ୍ଧ ଥାର୍ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯିବା ବେଳେ ଗାଡ଼ି ଭିତରୁ ଏହି ମାରଣାସ୍ତ୍ର ଏବଂ ଗୁଳି ବାହାରିଥିଲା।
ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ କାଳିଆ ବୋଲି ଜଣାପଡ଼ିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାଳିଆ ଜଣେ ପେସାଦାର ଅପରାଧୀ ଏବଂ ତାଙ୍କ ନାମରେ ପୂର୍ବରୁ ୫ଟି ବନ୍ଧୁକ ସମ୍ବନ୍ଧୀୟ ଅପରାଧିକ ମାମଲା ରହିଛି। ସେ ବାଲି ବ୍ୟବସାୟ ଆଳରେ ନିଜ ପାଖରେ ବେଆଇନ ବନ୍ଧୁକ ରଖୁଥିଲେ ଏବଂ ବିହାରର ମୁଙ୍ଗେରରୁ ଚୋରାରେ ଏହି ମାରଣାସ୍ତ୍ର ଆଣୁଥିବା ପୋଲିସ ସନ୍ଦେହ କରୁଛି। ଏହା ବ୍ୟତୀତ ଗତ ଦଶହରା ସମୟରେ ସେ ନିଜ ଗାଁ ନୋଡ଼ାଗାଁରେ ଖୋଲାଖୋଲି ଭାବେ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରିଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ବର୍ତ୍ତମାନ ଜବତ ହୋଇଥିବା ଏହି ବନ୍ଧୁକଗୁଡ଼ିକ କେଉଁଠାରୁ ଆସିଥିଲା ଏବଂ କାହା ପାଖକୁ ଚାଲାଣ ହେଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହାର ମଧ୍ୟ ଖୋଳତାଡ଼ କରାଯାଉଛି।


