କଟକ: କଟକ ମହାନଗରରେ ବଢ଼ୁଥିବା ଟ୍ରାଫିକ୍ ଭିଡ଼କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଭିଡ଼ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜରୁରୀ ସେବା ମଧ୍ୟ ପ୍ରଭାବିତ ହେଉଥିବାରୁ ତୁରନ୍ତ ସମାଧାନ ପାଇଁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।
କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟିରେ ଜିଲ୍ଲା ପ୍ରଶାସନର ଏଡିଏମ୍ ପାହ୍ୟାର ଅଧିକାରୀ, କେଏମ୍ସି ଓ କେଡିଏର ଡେପୁଟି କମିସନର ପାହ୍ୟାର ଅଧିକାରୀ ରହିବେ। ୱାର୍ଡଗୁଡ଼ିକରେ ଟ୍ରାଫିକ୍ ଭିଡ଼ କମାଇବା, ଡ୍ରେନ୍ ଓ ରାସ୍ତାକୁ ଅବରୋଧମୁକ୍ତ କରିବା ଏବଂ ଉଚ୍ଛେଦ ପରେ ପୁଣି ଜବରଦଖଲ ରୋକିବା ନେଇ କମିଟି ପରାମର୍ଶ ଦେବ।
ଏହାସହ ଚହଟା-ନରାଜ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବା ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ନିର୍ମାଣ କାମ ଚାଲୁଥିବାରୁ ଅସ୍ଥାୟୀ ଆଲୋକ ବ୍ୟବସ୍ଥା କରିବାକୁ କେଏମ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୨୭ରେ ଟ୍ରାଫିକ୍ ପ୍ରସଙ୍ଗରେ କମିଟିର ପରାମର୍ଶ ଉପସ୍ଥାପନ କରାଯିବ।
ସେହିପରି ମାତୃଭବନ ନିକଟ ଡ୍ରେନେଜ୍ ବ୍ୟବସ୍ଥା ନେଇ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଆଡଭୋକେଟ୍ କମିଟିକୁ କୁହାଯାଇଛି। ଜଳାଶୟ, ପାର୍କ ଓ ସ୍କୁଲ୍ ପାଇଁ ଜମି ସମ୍ପର୍କିତ ପ୍ରସଙ୍ଗରେ ସେପ୍ଟେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି ହେବ।


