ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ପାଣି ଟାଙ୍କିରୁ ମୁଣ୍ଡବିହୀନ ଶବ ଉଦ୍ଧାର ହେବା ପରେ ତଦନ୍ତ କରି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘରୁ ମୃତକଙ୍କ କଟାମୁଣ୍ଡ ମଧ୍ୟ ଉଦ୍ଧାର ହୋଇଛି।
ମୃତକ ହେଲେ ତୁଷୁରା ଥାନା ଟେବଡ଼ାମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ। ଗୁରୁବାର ସକାଳେ ବଗଡ଼ା ହାଇସ୍କୁଲ ନିକଟସ୍ଥ ପାଣି ଟାଙ୍କିରେ ଏକ ମୁଣ୍ଡବିହୀନ ଶବ ଭାସୁଥିବା କିଛି ଛେଳି ଚରାଳି ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା।
ତଦନ୍ତ ବେଳେ ପୁଲିସ ମୃତକଙ୍କ ପରିଚୟ ଜାଣିବା ସହ ତାଙ୍କ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ପୁଲିସ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ଓ ଗଣେଶର ସାହୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
ପୁଲିସ ଜେରା ବେଳେ ଉଭୟ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସ୍ୱୀକାର କରିଥିବା ଜଣାପଡ଼ିଛି। ଶତ୍ରୁଘ୍ନଙ୍କ ଘର ଭିତରୁ ସନ୍ତୋଷଙ୍କ କଟାମୁଣ୍ଡ ଉଦ୍ଧାର କରାଯାଇଛି। ଏହା ନିକଟରୁ ବେଲପତ୍ର, ଚାଉଳ, ତମ୍ବା ନାଗ ଓ ଦେବୀଙ୍କ ଫଟୋ ମିଳିଥିବା ଜଣାପଡ଼ିଛି।
ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, ଗୁଣିଗାରେଡ଼ି କିମ୍ବା ତନ୍ତ୍ରମନ୍ତ୍ର ପାଇଁ ସନ୍ତୋଷଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଏବେବି ସ୍ପଷ୍ଟ ହୋଇନାହିଁ। ଏହି ଦିଗ ସମେତ ଘଟଣାରେ ଆଉ କେହି ସମ୍ପୃକ୍ତ କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।
ସନ୍ତୋଷ ଗତ ୧୮ ତାରିଖରେ ଘରୁ ବାହାରିବା ପରେ ଆଉ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ବଗଡ଼ା ଅଞ୍ଚଳରୁ ତାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା।
ଘଟଣାକୁ ନେଇ ବଲାଙ୍ଗୀରରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ହତ୍ୟାର ପ୍ରକୃତ କାରଣ ଉପରୁ ପରଦା ହଟାଇବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ବଲାଙ୍ଗୀର ସଦର ଏସ୍ଡିପିଓ ସରୋଜ ଉପାଧ୍ୟାୟ ୨ ଅଭିଯୁକ୍ତଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି।


