ଭୁବନେଶ୍ୱର: ପୂର୍ବତଟ ରେଳପଥ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସଭାପତି ତଥା ଅତିରିକ୍ତ ମହାପ୍ରବନ୍ଧକ ଜି. ଏଚ୍. ଭିକ୍ଟର ଜୋସେଫ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ସଂଗଠନର କାର୍ଯ୍ୟକଳାପ ଓ ପ୍ରଦର୍ଶନର ସମୀକ୍ଷା କରାଯିବା ସହ ୨୦୨୬-୨୭ ବର୍ଷ ପାଇଁ ପ୍ରସ୍ତାବିତ ବାର୍ଷିକ କାର୍ଯ୍ୟକ୍ରମ, ଲକ୍ଷ୍ୟ ଏବଂ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍କାଉଟ୍ସ ଏବଂ ଗାଇଡ୍ସ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ସହ ଏଥିରେ ଅଧିକ ଅଂଶଗ୍ରହଣ ଓ ପ୍ରସାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଉଦ୍ବୋଧନ ଦେଇ ଜି. ଏଚ୍. ଭିକ୍ଟର ଜୋସେଫ୍ ଜୋନ୍ସ୍ତରରେ ସ୍କାଉଟ୍ ଏବଂ ଗାଇଡ୍ କାର୍ଯ୍ୟକଳାପର ସୁଚିନ୍ତିତ ଯୋଜନା, ସକ୍ରିୟ ଅଂଶଗ୍ରହଣ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନବନିଯୁକ୍ତ ସଦସ୍ୟମାନଙ୍କ ପାଇଁ ଏକ ଶପଥ ଗ୍ରହଣ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା। ନବନିଯୁକ୍ତ ସଦସ୍ୟମାନେ ଔପଚାରିକ ଭାବେ ସଂଗଠନରେ ସାମିଲ ହୋଇଥିଲେ।
ପୂର୍ବତଟ ରେଳପଥର ରାଜ୍ୟ ମୁଖ୍ୟ କମିଶନର ତଥା ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ସଞ୍ଜୟ କୁମାରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ବିଭାଗୀୟ ମୁଖ୍ୟ, ରାଜ୍ୟସ୍ତରୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ୍, ବିଶାଖାପାଟଣା, ସମ୍ବଲପୁର ଓ କେନ୍ଦ୍ରୀୟ ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।
ସ୍କାଉଟିଂ ଏବଂ ଗାଇଡିଂ ଶୃଙ୍ଖଳା, ନେତୃତ୍ୱ, ଦଳଗତ କାର୍ଯ୍ୟ, ସେବା ମନୋଭାବ ଏବଂ ଦାୟିତ୍ୱବାନ ନାଗରିକତ୍ୱର ଭାବନାକୁ ବିକଶିତ କରିବା ସହ ସମାଜସେବା ଓ ସାମୁଦାୟିକ କଲ୍ୟାଣମୂଳକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥାଏ।


