ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ଷଷ୍ଠ ଦିବସରେ ପହଞ୍ଚିଛି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ସେମାନଙ୍କର ଦାବିଗୁଡ଼ିକୁ ସାକ୍ଷାତ ଆଲୋଚନା ପର୍ଯ୍ୟାଲୋଚନା ଓ ଆନ୍ଦୋଳନ ମାଧ୍ୟମରେ ଜଣାଇ ଆସୁଛନ୍ତି।
ଗତ ଅଗଷ୍ଟ ୧୬ ଦାବି ଦିବସଠାରୁ ଅଦ୍ୟାବଧି ରାଜ୍ୟ ବିଧାନ ସଭାର ମାତ୍ର ଦୁଇଶହ ତିନିଶହ ମିଟର ଦୂରରେ ଦିନର ପ୍ରବଳ ଗୁଳୁଗୁଳି ସହିତ ଉପର ତାତି ଓ ତତଲା ପିଚୁରାସ୍ତା ଉପରେ ଦିନ ତମାମ୍ ବସି ବେହାଲ ଅବସ୍ଥାରେ ଥିବା ଅଧ୍ୟାପକ, ଶିକ୍ଷକ, ଶିକ୍ଷାକର୍ମଚାରୀ ରାତ୍ରିର ପ୍ରବଳ ବର୍ଷାରେ ଭିଜିଭିଜି ଗାନ୍ଧିମାର୍ଗରେ ବସିରହି ସରକାରଙ୍କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବଞ୍ଚିବା ସହିତ ନିଜର ପେଟ ପାଟଣା ପାଇଁ ବ୍ୟବସ୍ଥା ମୁତାବକ ଆଇନର ଗଣ୍ଡି ମଧ୍ୟରେ ହକ୍ ମାଗି ଚାଲିଛନ୍ତି। କିନ୍ତୁ ସରକାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଜଣାପଡ଼ୁଛି ଯେପରି ସରକାର ଶିକ୍ଷକ ମାନଙ୍କର ଅବସ୍ଥା, ଶିକ୍ଷାବ୍ୟବସ୍ଥା, ଛାତ୍ରଛାତ୍ରୀ ମାନଙ୍କ ସୁବିଧା ସୁଯୋଗ ପ୍ରତି ଆଖି ବୁଜିଦେଲା ଭଳି ଲାଗୁଛି। ଇତି ମଧ୍ୟରେ ନୂତନ ସରକାର ଗଠନ ହେବାର ଦୀର୍ଘ ଦୁଇବର୍ଷ ଦୁଇମାସର ଅବଧି ପୂରିଥିଲେ ମଧ୍ୟ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ହୋଇ ନାହିଁ। ସମସ୍ୟା ସମାଧାନ ନକରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରାଜରାସ୍ତାରେ ଠିଆ କରାଇବା ସମଗ୍ର ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ଇସ୍ତାହାର ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି।
ସୂଚନାଥାଉକି, ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ସରକାର ଗଠନ କରିଥିବା କମିଟିର ଛଅ ମାସର ସମୟ ଅବଧି ଜୁନ୍ ମାସ ୬ ତାରିଖରେ ପୂରଣ ହୋଇଛି ଏବଂ କମିଟି ତାଙ୍କର ରିପୋର୍ଟ ସରକାରଙ୍କ ନିକଟରେ ପ୍ରଦାନ କରି ସାରିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ସେ ଦିଗରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆନଯାଇ କମିଟିର ସମୟ ନିର୍ଘଣ୍ଟକୁ ପୁନଶ୍ଚ ଆଉ ଛଅମାସକୁ ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ବହୁବାର ସରକାରୀ ଦଳ ତରଫରୁ ମାନ୍ୟବର ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଆନ୍ଦୋଳନ ସ୍ଥଳକୁ ଆସି ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ବାରମ୍ବାର ଆଲୋଚନା ହୋଇଛି, କିନ୍ତୁ ଅଦ୍ୟାବଧି ଦାବି ପୂରଣ ହୋଇ ନାହିଁ। ଶିକ୍ଷକମାନେ ଗାନ୍ଧିମାର୍ଗକୁ ଆସି ଆନ୍ଦୋଳନ କରୁଛନ୍ତି ଓ ସରକାରଙ୍କ କଥାରେ ପ୍ରତିଶ୍ରୁତି ପାଇ ବିଦ୍ୟାଳୟକୁ ଫେରି ଯାଉଛନ୍ତି କିନ୍ତୁ ଗଲାପରେ ସରକାର ନିଦାବିଷ୍ଣୁ ସାଜି ସମସ୍ୟା ସମାଧାନ କରୁ ନାହାଁନ୍ତି ଫଳରେ ବାଧ୍ୟ ହୋଇ ଶିକ୍ଷକ କର୍ମଚାରୀମାନେ ରାଜରାସ୍ତାକୁ ଆସୁଛନ୍ତି ଓ ଶିକ୍ଷାଦାନ ବ୍ୟାହତ ହେଉଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ପୂର୍ବ ସରକାରଙ୍କ ସମୟରେ ବିରୋଧୀ ଦଳର ନେତା ଥିଲେ ସେତେବେଳେ ମଧ୍ୟ ଆନ୍ଦୋଳନ ସ୍ଥଳରେ ଆସି ପ୍ରତିଶ୍ରୁତି ରଖିଥିଲେ “ଆମ ସରକାର ଆସିଲେ ଆମେ ସବୁ ବର୍ଗର ଶିକ୍ଷକ ମାନଙ୍କର ସମସ୍ୟା ମାସେ ଦୁଇମାସ ମଧ୍ୟରେ ସମାଧାନ କରିବୁ ଓ ଶିକ୍ଷକମାନଙ୍କୁ ଆଉ ରାଜରାସ୍ତାକୁ ଆସିବାକୁ ପଡ଼ିବ ନାହିଁ’। କିନ୍ତୁ ଦୁଃଖ ଓ ବିଡ଼ମ୍ବନାର ବିଷୟ ସରକାର କମିଟି ପରେ କମିଟି ଗଠନ କରି ସମସ୍ୟା ସମାଧାନ ନାମରେ ଅହେତୁକ ବିଳମ୍ବ କରି ଚାଲିଛନ୍ତି। ଏହି ସମୟ ମଧ୍ୟରେ ଅନେକ ଶିକ୍ଷକ ନିଜର ନ୍ୟାୟ ନପାଇ ଅର୍ଦ୍ଧାହାର, ଅନାହାରରେ ରୋଗ ଶଯ୍ୟାରେ ପଡ଼ି ପଡ଼ି ମୃତ୍ୟୁବରଣ କରୁଛନ୍ତି। ଶିକ୍ଷକମାନଙ୍କର ବଞ୍ଚିବାର ଅଧିକାରକୁ ସରକାର ଛଡ଼ାଇ ନେବାକୁ ବସିଲେଣି। ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଶିକ୍ଷକ ଅଭାବରୁ ଆଉ କିଛିବର୍ଷ ପରେ ଭାଙ୍ଗିଯିବ। କାରଣ ଏହି ଅନୁଷ୍ଠାନ ଗୁଡ଼ିକରେ ନୂତନ ନିଯୁକ୍ତିର ବ୍ୟବସ୍ଥା ନାହିଁ କିମ୍ବା ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅବସର ପରେ ପେନସନ୍ ଓ ଚାକିରି ସର୍ତ୍ତାବଳୀର ସୁବିଧା ନାହିଁ। ତେଣୁ ସରକାରଙ୍କର ଏହି କାଳକ୍ଷେପଣ ନୀତି ଉଭୟ ଶିକ୍ଷକ ଓ ଶିକ୍ଷାନୁଷ୍ଠାନକୁ ଧ୍ୱଂସ ମୁଖକୁ ଠେଲି ଦେଉଛି।
ଯଦି ଏହି ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ଛଅ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ନିଯୁକ୍ତିର ବ୍ୟବସ୍ଥା କରାଯାଆନ୍ତା ତେବେ ଏହି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ଓ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟ ଗୁଡ଼ିକ ସୁରୁଖୁରୁରେ ଚାଲି ପାରନ୍ତା ବୋଲି ସମନ୍ୱୟ ସମିତି ତରଫରୁ କୁହାଯାଇଛି। ସେହିପରି ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଥିବା ଅନୁଦାନ ପ୍ରାତ୍ୟାଶୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟା ମଧ୍ୟ ଅତ୍ୟନ୍ତ ଜଟିଳ। ତେଣୁ ସରକାର ୨୫ ରୁ ୩୦ ବର୍ଷ ବିନା ପାରିଶ୍ରମିକରେ ବୁଭୁକ୍ଷୁ ଅବସ୍ଥାରେ କାର୍ଯ୍ୟ କରୁଥିବା ଅନୁଦାନ ଯୋଗ୍ୟ ସ୍କୁଲ ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ଓ ପରିସରଭୂକ୍ତ ପରାଯାଉ ଓ ସେହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବହି, ପୋଷାକ, ସାଇକେଲ ଓ ମଧ୍ୟାହ୍ନ ଭୋଜନ ଯୋଗାଇଦିଆଯାଉ।
ଅହୋରାତ୍ର ଧାରଣାର ଷଷ୍ଠ ଦିବସରେ ଆନ୍ଦୋଳନ ସ୍ଥଳରେ ସି.ପି.ଆଇ.(ଏମ୍)ର ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷକ ମହାସଂଘର ପ୍ରାକ୍ତନ ସଂଗଠନ ସଂପାଦକ ସୁରେନ୍ଦ୍ର କୁମାର ଜେନା, ମାନବାଧିକାର କର୍ମୀ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ ସଭାରେ ଉଦ୍ବୋଧନ ଦେବା ସହିତ ଏହି ଆନ୍ଦୋଳନ ପ୍ରତି ତାଙ୍କର ଦଳ ଓ ସଂଗଠନର ସମର୍ଥନ ଜଣାଇଛନ୍ତି।
ଅନୁଦାନ ପାଉନଥିବା ବିଦ୍ୟାଳୟକୁ ଅନୁଦାନ, ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍, ଖାଲିପଡ଼ିଥିବା ପଦବୀରେ ନିଯୁକ୍ତି, ଗ୍ରେଡ଼ପେରେ ଥିବା ଅସଙ୍ଗତି, ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ସମନ୍ୱୟ ସମିତି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରାଯାଉଛି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।


