ଭୁବନେଶ୍ୱର: ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ନେଇ ବଡ଼ ପଦକ୍ଷେପ। ଓଡ଼ିଶା ଓ ଛତିଶଗଡ଼ ଦାଖଲ କରିଥିବା ତଥ୍ୟ ଯାଞ୍ଚ ଓ ବିଶ୍ଳେଷଣ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏକ ବୈଷୟିକ କମିଟି ଗଠନ କରିଛି।
ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଉଭୟ ରାଜ୍ୟ ମହାନଦୀ ସମ୍ପର୍କିତ ନିଜ ନିଜ ଜଳ ଆବଶ୍ୟକତା, ଦାବି ଓ ଅନ୍ୟାନ୍ୟ ତଥ୍ୟ CWC ନିକଟରେ ଦାଖଲ କରିଛନ୍ତି। କମିଟି ଏହି ସବୁ ତଥ୍ୟର ବୈଷୟିକ ଯାଞ୍ଚ କରିବ।
ଏହି ଯାଞ୍ଚ ମହାନଦୀ ଜଳ ବିବାଦର ବିଭିନ୍ନ ପ୍ରସଙ୍ଗର ଏକ ନିରପେକ୍ଷ ଓ ବୈଷୟିକ ମୂଲ୍ୟାଙ୍କନରେ ସହାୟକ ହେବ ବୋଲି ଆଶା କରାଯାଉଛି।
ସେପଟେ ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ହେବ। ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖୁଥିବା ବେଳେ ଟ୍ରିବ୍ୟୁନାଲର କାର୍ଯ୍ୟଧାରା ଉପରେ ନଜର ରହିଛି।


