ନୂଆପଡ଼ା: ସିନାପାଲି ଥାନା ଅନ୍ତର୍ଗତ ଗୋଲଧାଠାରେ ବ୍ରିଜ୍ ନିର୍ମାଣ କାମ ଚାଲିଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ବ୍ରିଜ୍ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ଘଟଣାସ୍ଥଳରେ କ୍ୟାମ୍ପ କରି ରହୁଥିଲେ। ଗତକାଲି ରାତିରେ ଖାଇପିଇ ସାରି ସମସ୍ତେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ଅନ୍ୟ ଶ୍ରମିକମାନେ ତୁରନ୍ତ ତିନିଜଣଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ତେବେ ଡାକ୍ତର ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡିଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ସାପ କାମୁଡ଼ାରେ ଗୁରୁତର ତୁଳସୀ ବଗର୍ତ୍ତୀ (୪୫) ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।


