ବାରିପଦା: ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟର (SI) ଅଡୁଆରେ ପଡ଼ିଛନ୍ତି। ମହିଳାଙ୍କ ଅଭିଯୋଗ ପରେ SI ପ୍ରଭାତ ନାୟକଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ବାରିପଦା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ପରେ କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ ଗଲେ SI।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, SI ପ୍ରଭାତ ନାୟକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଉଭୟଙ୍କ ବିବାହ ପାଇଁ କିଛି ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ। ନିଜକୁ ସମାଜସେବୀ ବୋଲି ପରିଚୟ ଦେଇଥିବା କିଛି ବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ହୋଇଥିବା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।
ତେବେ ବିବାହ ପରେ ତାଙ୍କୁ ପ୍ରତାରଣା କରାଯାଇଥିବା ମହିଳା ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ସେ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ପରେ ମୟୂରଭଞ୍ଜ ଏସ୍ପିଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ମିଳିବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି SI ପ୍ରଭାତ ନାୟକଙ୍କୁ ଅଟକ ରଖିଛି। ଘଟଣାରେ SIଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ମାମଲାରେ ମହିଳା ଆଣିଥିବା ଅଭିଯୋଗର ସତ୍ୟତା, ବିବାହର ପରିସ୍ଥିତି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କ ଭୂମିକା ନେଇ ପୁଲିସ ତଦନ୍ତ ଚଳାଇଛି। ଅଭିଯୋଗରେ ନାଁ ଥିବା ସମସ୍ତ ବ୍ୟକ୍ତିଙ୍କ ଭୂମିକା ଓ ଘଟଣାକ୍ରମ ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଛି।
ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିବାରୁ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି।


