ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା ନାହାଡ଼ା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମିନତୀ ପ୍ରଧାନ। ଅଭିଯୁକ୍ତ ସ୍ୱାମୀ ସୁଜିତ ବିଶ୍ୱାଳ ଓରଫ ଜଗାଙ୍କୁ ପୁଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ସୁଜିତ ମିନତୀଙ୍କ ଘରେ ପଶି କବାଟ ବନ୍ଦ କରି ତାଙ୍କ ଗଳା କାଟିବା ସହ ପେଟରେ ଛୁରୀ ଭୁସିଥିଲା। ପରେ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଗ୍ୟାସ ଖୋଲି ଦେଇଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ ମିନତୀଙ୍କ ପରିବାର ଲୋକେ ପହଞ୍ଚି କବାଟ ଖୋଲିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସୁଜିତ ଛୁରୀ ଦେଖାଇ ସେମାନଙ୍କୁ ଧମକ ଦେଇଥିଲା। ପରେ ପୁଲିସ ପହଞ୍ଚି ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ପୁଲିସର ସୂଚନା ଅନୁସାରେ, ପ୍ରାୟ ୧୦ ବର୍ଷ ପୂର୍ବେ ସୁଜିତ ମିନତୀଙ୍କୁ ନେଇ ସୁରାଟ ଯାଇଥିଲା। ପରେ ଉଭୟ ନୋଟାରୀଙ୍କ ନିକଟରେ ବିବାହ କରିଥିଲେ। ସୁଜିତଙ୍କ ବିରୋଧରେ ସୁରାଟରେ ଏକ ହତ୍ୟା ମାମଲା ଥିବା ଏବଂ ସେ କିଛି ମାସ ପୂର୍ବେ ଜାମିନରେ ଆସିଥିବା ପୁଲିସ କହିଛି।
ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ମୃତଦେହର ପଞ୍ଚନାମା ଓ ବ୍ୟବଚ୍ଛେଦ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ କହିଛନ୍ତି।


