ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ସୋମବାର ଭୋରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ତୃତୀୟ ମହଲାରେ ଥିବା ନିଓନାଟାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (NICU)ରେ ପ୍ରାୟ ସାଢ଼େ ୩ଟା ସମୟରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଶିଶୁ ଗୁରୁତର ଅଛନ୍ତି।
ସୂଚନା ଅନୁଯାୟୀ, NICUରେ ହଠାତ୍ ନିଆଁ ଲାଗିବା ପରେ ଚାରିଆଡ଼େ ଧୂଆଁ ବ୍ୟାପିଯାଇଥିଲା। ଭେଣ୍ଟିଲେଟର୍ରେ ଅପ୍ରତ୍ୟାଶିତ ବିସ୍ଫୋରଣ କିମ୍ବା ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ଘଟଣା ସମୟରେ NICUରେ ମୋଟ ୩୯ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ। ନିଆଁ ଓ ଧୂଆଁ ବ୍ୟାପିବା ଦେଖି ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଧିକାଂଶ ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ତେବେ ଗୁରୁତର ଭାବେ ଜଳିଯାଇଥିବା ୩ ନବଜାତ ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଅନ୍ୟ ୬ ଜଣ ଗୁରୁତର ଶିଶୁଙ୍କୁ ଚିକିତ୍ସା ପାଇଁ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।


