ଅମରାବତୀ: ମହାରାଷ୍ଟ୍ର ଅମରାବତୀସ୍ଥିତ ଜିଲ୍ଲା ମହିଳା ହସ୍ପିଟାଲର ଏନ୍ଆଇସିୟୁରେ ସୋମବାର ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ନବଜାତ ଶିଶୁଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧୂଆଁମୟ ଆଇସିୟୁରୁ ୩୬ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୋମବାର ଭୋର ପ୍ରାୟ ୩:୧୫ ମିନିଟ୍ରେ ଏନଆଇସିୟୁର ଏକ ୱାର୍ଡରେ ନିଆଁ ଲାଗିଥିଲା।ଏହି “ହୃଦୟବିଦାରକ’ ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗଭୀର ଶୋକ ପ୍ରକାଶ କରିବା ସହ ଘଟଣାର କାରଣ ଏବଂ ପ୍ରଶାସନିକ ତ୍ରୁଟିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। “ସ୍ୱାସ୍ଥ୍ୟ ପ୍ରଶାସନକୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି,’ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଏହାସହ ଆହତ ଶିଶୁମାନଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା ଯୋଗାଇଦେବାକୁ ଏବଂ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏନଆଇସିୟୁର “ଆଉଟବୋର୍ନ’ (ବାହାରୁ ଆସିଥିବା ଶିଶୁ) ସେକ୍ସନରେ ଥିବା ଏକ ଭେଣ୍ଟିଲେଟର ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ସମୟରେ ମୋଟ ୩୯ ଜଣ ଶିଶୁ ଭର୍ତ୍ତି ଥିଲେ। ନିଆଁ ଲାଗିଥିବା ଆଉଟବୋର୍ନ ସେକ୍ସନରୁ କର୍ମଚାରୀ ଓ ଉଦ୍ଧାରକାରୀ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଶିଶୁ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।


