ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର କିଛି ମାସ ପରେ ନାବାଳିକା ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କର ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସା ଚାଲିଛି।
ସୂଚନା ଅନୁଯାୟୀ, ନାବାଳିକା ଜଣକ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। ଫେବ୍ରୁଆରିରେ ଦଶମ ପରୀକ୍ଷା ପାଇଁ ଜଣେ ସାଙ୍ଗଙ୍କ ଘରକୁ ପଢ଼ିବାକୁ ଯାଇଥିବା ବେଳେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଛୁରି ଦେଖାଇ ତାଙ୍କୁ ଏକ ଘର ପଛପଟକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ମଧ୍ୟ ଧମକ ଦେଇଥିଲା।
ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବା ପରେ ପରିବାର ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ପରୀକ୍ଷାରୁ ଗର୍ଭଧାରଣ ଜଣାପଡ଼ିବା ପରେ ତାଙ୍କୁ ଏମ୍କେସିଜିକୁ ରେଫର କରାଯାଇଥିଲା। ଡାକ୍ତରଙ୍କ ସୂଚନା ଆଧାରରେ ହିଞ୍ଜିଳିକାଟୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗର୍ଭପାତ ସମ୍ପର୍କରେ ନିଷ୍ପତ୍ତି ପାଇଁ ମେଡିକାଲ ବୋର୍ଡ ଗଠନ କରାଯାଇଥିବା ଜଣାପଡ଼ିଛି।


