ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଚାଞ୍ଚଲ୍ୟ। ଜଗନ୍ନାଥ ବଲ୍ଲଭ ପରିସରରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ଆଜି ସକାଳେ ଚର୍ଚ୍ଚା ସୃଷ୍ଟି ହୋଇଛି। ବେଣ୍ଟ ପୋଖରୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି ପୁରୀ ଟାଉନ୍ ଥାନା IIC ସୂଚନା ଦେଇଛନ୍ତି।
ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମୃତକ ଦୀର୍ଘଦିନ ଧରି ଜଗନ୍ନାଥ ବଲ୍ଲଭ ପରିସରରେ ରହୁଥିଲେ ଏବଂ ସେଠାରେ ଶୋଉଥିଲେ। ଗତକାଲି ରାତିରେ ମଧ୍ୟ ସେ ସେଠାରେ ଶୋଇଥିବା ସନ୍ଦେହ କରାଯାଉଛି। ତେବେ ଆଜି ସକାଳେ ବେଣ୍ଟ ପୋଖରୀ ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା।
ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସହ ସେହି ସ୍ଥାନରେ ଆଉ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରହୁଥିବା ଜଣାପଡ଼ିଛି। ତେବେ ଗତକାଲି ରାତି ପ୍ରାୟ ୧୦ଟା ପରଠାରୁ ସେହି ବ୍ୟକ୍ତିଙ୍କର କୌଣସି ପତ୍ତା ମିଳୁନାହିଁ। ଫଳରେ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା କିମ୍ବା ଗଣ୍ଡଗୋଳ ହୋଇଥାଇପାରେ ଏବଂ ସେଥିରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରିଛି। ଘଟଣା ପଛର ପ୍ରକୃତ କାରଣ ଏବଂ ହତ୍ୟାରେ କିଏ ସମ୍ପୃକ୍ତ, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି। ନିଖୋଜ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।


