Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଆଉ ଏକ ହତ୍ୟାକାଣ୍ଡ: ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି। ୨୪ ଘଣ୍ଟା ମଧ୍ୟରେ ଗଡିଲା ଦୁଇ ଦୁଇ ଟି ମୁଣ୍ଡ! ପୋଲିସର ଢିଲା ପଣିଆର ସୁଯୋଗ ନେଇ ଅପରାଧୀ ମାନେ ପୁଣି ଥରେ ସକ୍ରିୟ ହେବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

ଗତ କାଲି ରାତିରେ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ସେପଟେ ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ବାରୀଗୁଡା ଗାଁ ର ଶେଷ ମୁଣ୍ଡରେ ଅନିଲ ମହାନ୍ତି ଓରଫ କୋକୋଙ୍କୁ ଅଜି ସଖାଲେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉ କି ଅନିଲ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ।
ଗତ କିଛି ମାସ ଧରି ଜିଲ୍ଲାରେ ସିରିଜ୍ ହତ୍ୟାକାଣ୍ଡ ଘଟି ଚାଲିଥିବା ବେଳେ ଜିଲ୍ଲା ପୋଲିସ ର ଦକ୍ଷତା ଉପରକୁ ଅଙ୍ଗୁଳି ଉଠିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାନପୁରରେ ହତ୍ୟାକାଣ୍ଡ!, କାରଣ ଅସ୍ପଷ୍ଟ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୁନିଲ ନାହାକଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଅନେକ ମାମଲା। ପୂର୍ବରୁ ଆସ୍କା ଅଞ୍ଚଳରେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋରା ଚାଲାଣ, ଡକାୟତି ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି।

ଅନ୍ୟପଟେ ସୁନିଲ ଫେରାର ଥିବା ବେଳେ କୋଦଳା ଥାନା ଦାନପୁର ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ କୋଦଳା ଥାନା ପୋଲିସ ଓ ପୁରୁଷୋତ୍ତମପୁର ଏସ୍ ଡି ପି ଓ ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି। ଦେଖାଯାଉ କେବେ ହତ୍ୟାର କାରଣ ଫର୍ଦ୍ଦାପାସ୍ ହେବ ତାହା ଦେଖିବାକୁ ବାକି ରହିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ ପିସ୍ତଲ, ୧୧ ଜୀବନ୍ତ ଗୁଳି, ୧୦ମୋବାଇଲ ଏବଂ ୬ ଗୋଟି ଗାଡ଼ି ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ଆଜି ଜିଲା ପୋଲିସ ମୁଖ୍ଯାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ।

ଏହି ହତ୍ୟାକାଣ୍ଡରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି। ମାଷ୍ଟରମାଇଣ୍ଡ ସଞ୍ଜୁକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି। ଘଟଣାସ୍ଥଳର ସିନ୍ ରିକ୍ରିଏସନ କରାଯିବ। ପାକୁ ଓ ସଞ୍ଜୁ ମଧ୍ଯରେ ଶତ୍ରୁତା ରହିଥିଲା। ପାକୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ଲାଗି ଷଡ଼ଯନ୍ତ୍ର ରଚିଥିଲା ସଞ୍ଜୁ। ପୂର୍ବରୁ ଥରେ ହତ୍ୟା ଯୋଜନା କରି ବିଫଳ ହୋଇଥିଲା ସଞ୍ଜୁ। ଏନେଇ ସେ ଖୋର୍ଦ୍ଧା, ପୁରୀ ଓ ନୟାଗଡରେ ରହୁଥିବା ସହଯୋଗୀଙ୍କ ସହ ଆଲୋଚନା ମଧ୍ୟ କରିଥିଲା। ଏଥିଲାଗି ଚୋରା ଗାଡି ଏବଂ ବନ୍ଧୁକ, ମାରଣାସ୍ତ୍ର ଯୋଗାଡ କରିଥିଲା ସଞ୍ଜୁ।

ଗତ ମାସ ୭ ତାରିଖ ରାତିରେ ସୋମନାଥ ସାମନ୍ତରାପୁର ଠେଙ୍ଗାହାଟ ଛକରେ ମୋବାଇଲରେ କଥା ହେଉଥିବା ସମୟରେ ଦୁର୍ବୁତ୍ତ ମାନେ ଏକ ବୋଲୋରୋ ପିକ୍ଅପ ଗାଡ଼ିରେ ଆସି ୪ ଜଣ ସୋମନାଥଙ୍କ ଉପରେ ୮ ରାଉଣ୍ଡ ଗୁଳି ମାଡ କରିଥିଲେ। ୪ ଟି ଗୁଳି ତାଙ୍କ ହାତ, ଛାତି ଓ ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସୋମନାଥଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ମାସ ୯ ତାରଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଖୋର୍ଦ୍ଧା ସଦର ଏସଡିପିଓ ଦିଲ୍ଲୀପ ଦାସ ଙ୍କ ନେତୃତ୍ବରେ ୩ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ: ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣହାନୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଏକ ହତ୍ୟାକାଣ୍ଡ ଘଟି ସନାତନ ଚୌଧୁରୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ନିହତ ଯୁବକ ଜଣକ ନୁଆ ବସଷ୍ଟାଣ୍ଡରେ ହକର କାମ କରି ପରିବାର ପ୍ରତିପୋଷଣ ଚଳାଇଥିଲେ। ସେ ଘରକୁ ଫେରିବା ବେଳେ ୪ରୁ ୫ ଯୁବକ ହଠାତ୍ ତାକୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯ’ଦ୍ଵାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡ ଘଟାଇ ଆସାମୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପୁର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ବିଶେଷ ଖବର

ରାଜନୀତିରେ ମର୍ଯ୍ୟାଦା ରକ୍ଷା ନକଲେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବେ: ବିଜେଡ଼ି

ଭୁବନେଶ୍ଵର: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି। ଜୀବନରେ ଥରେ କାଉନସିଲର ଭୋଟରେ ବି ଜିତି ନଥିବା ଏହି ବିଜେପି ନେତାଙ୍କୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା। ଆଜି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ଦେଇଥିବା ବିବୃତିର ଜବାବ ଦେବାକୁ ଯାଇ ଏଭଳି ତୀବ୍ର ସମାଲୋଚନା କରିଛି ବିଜେଡି।

ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଇସ୍ପିତା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ପୂର୍ବରୁ ବିଜେପି ଦଳରେ ଥିବା କିଛି ଅଭ୍ୟାସଗତ ଅପରାଧୀ ନେତା ନବ ଦାସ ହତ୍ୟାକାଣ୍ଡକୁ ନେଇ ଅନେକ ବାର ପାଗଳଙ୍କ ଭଳି ପ୍ରଳାପ କରିଛନ୍ତି ଏବଂ ଅପମାନିତ ହୋଇଛନ୍ତି। ଏବେ ଆଉ ଜଣେ ବିଜେପି ନେତା ମଧ୍ୟ ଏଭଳି ଅରୁଚିକର ଓ ଦାୟିତ୍ଵହୀନ ମନ୍ତବ୍ୟ ଦେଇ ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି। କାହା ବିରୋଧରେ ଗଣମାଧ୍ୟମରେ କିଛି ବିବୃତି ଦେବା ପୂର୍ବରୁ ଏହି ବିଜେପି ନେତା ଜଣକ ମନେ ରଖିବା ଉଚିତ ଯେ ଏହା ଅନ୍ୟ ରାଜ୍ୟରେ ବେପାର କରି କୋଟି କୋଟି ଟଙ୍କା ହରିଲୁଟ କରିବା ଭଳି ବିଷୟ ନୁହେଁ।

ରାଜନୀତିରେ ସର୍ବନିମ୍ନ ମୂଲ୍ୟବୋଧ ଓ ମର୍ଯ୍ୟାଦା ରକ୍ଷା କରିବା ଜରୁରୀ। ଯେଉଁମାନେ ଏହାର ସୀମା ଲଂଘନ କରି ଶସ୍ତା ଓ ହୀନ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତି ଦେଉଥିବେ, ଲୋକେ ସେମାନଙ୍କୁ ବାରମ୍ଵାର ପ୍ରତ୍ୟାଖ୍ୟାନ କରୁଥିବେ  ବୋଲି ସୁଶ୍ରୀ ସାହୁ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାନ ରେଙ୍ଗାଲିରେ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲେ ଦୁଇ ଭାଇ

କନ୍ଦର୍ପ ବେହେରା

ରେଢାଖୋଲ: ଜମି ବାଡି ବିବାଦକୁ ନେଇ ରେଢାଖୋଲ ଥାନା ସାନ ରେଙ୍ଗାଲିରେ ସାନ ଭାଇକୁ ଦୁଇ ଭାଇ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଖବର ପୋଲିସ୍ କହିଛି। ମୃତକ ଜଣଙ୍କ ସଞ୍ଜୟ ମୁଣ୍ଡା ବୋଲି ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କଦଳିଗଡ ପଂଚାୟତର ସାନ ରେଙ୍ଗାଲି ଗ୍ରାମର ସଞ୍ଜୟ ମୁଣ୍ଡା, ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଗାଁ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାଖରେ ଘର କରି ରୁହନ୍ତି। ତିନି ଭାଇ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ଗତ କାଲି ରାତିରେ ମଧ୍ୟ ତିନି ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଇଥିଲା। ସାନ ଭାଇ ସଞ୍ଜୟ ମୁଣ୍ଡାକୁ ତାର ବଡ ଭାଇ ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଏକ ଠେଙ୍ଗାରେ ପିଟିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମୃତକର ୧୫ ବର୍ଷର ପୁଅ ଏବଂ ଦିବ୍ୟାଙ୍ଗ ସ୍ତ୍ରୀକୁ ମଧ୍ୟ ଦୁଇ ଭାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିକଟସ୍ଥ ଜଙ୍ଗଲକୁ ଜୀବନ ରକ୍ଷା କରି ପଳାଇ ଯାଇଥିଲେ। ଯା’ ଫଳରେ ମାଆ ଓ ପୁଅ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

ମୃତକର ଘର ଜଙ୍ଗଲ ଭିତରେ ଥିବାରୁ କେହି ବି ଜାଣି ପାରି ନ ଥିଲେ। ଘଟଣାଟି ରାତି ପାଖା ପାଖି ୧୧ ଟାରେ ଘଟିଥିବା ଅନୁମାନ କରିଛି ପୋଲିସ୍। ଆଜି ସକାଳୁ ସକାଳୁ ପୋଲିସ୍ ଖବର ପାଇ ହତ୍ୟାକାଣ୍ଡ ସ୍ଥଳକୁୁ ଯାଇ ତଦନ୍ତ କରୁଛି। ହତ୍ୟାକାରୀ ଦୁଇ ଭାଇକୁ ପୋଲିସ୍ ଅଟକ ରଖିଛି।

ଘଟଣା ସ୍ଥଳକୁ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଏସ୍‌ଆଇ ଈଶ୍ୱର ନାଏକ ପହଂଚି ଦତନ୍ତ କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ହତ୍ୟାକାଣ୍ଡ: ପଥରରେ ଛେଚି ଛେଚି ଜଣେ ଯୁବକକୁ ହତ୍ୟା କଲା ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘତିଯାଇଛି। ଶିଶୁଭବନ ଛକ-ରାଜମହଳ ଛକ ମଧ୍ୟରେ ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କଲା ଦୁର୍ବୃତ୍ତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଜଣଙ୍କୁ ଅଟକ ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଗମ୍ଭାରୀମୁଣ୍ଡାରେ ଜଘନ୍ୟ ହତ୍ୟାକାଣ୍ଡ: ସ୍ତ୍ରୀକୁ କଟୁରୀରେ ହାଣି ଖଣ୍ଡ ଖଣ୍ଡ କଲା ସ୍ୱାମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜେ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ ଘଟିକାରେ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମର ବିଭୁଦତ୍ତ ରାୟ ତାଙ୍କ ସ୍ତ୍ରୀ ଙ୍କ ବେକକୁ କଟୁରୀରେ ହାଣି ଦେଇଛନ୍ତି। ଫଳରେ ସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ବିଭୁଙ୍କୁ ଅଟକ ରଖିଛି। ତେବେ ଏ ଘଟଣା ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚାଞ୍ଚଲ୍ୟକର ହତ୍ୟାକାଣ୍ଡ, ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ ମିଳିଲା ସ୍ବାମୀଙ୍କର ଶବ

ରାଜସ୍ଥାନ, ଆଜି ସକାଳେ ଡିଆଲାବ ପୋଖରୀରେ ଫେରାର ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ନାମ ଦେବେନ୍ଦ୍ର ଶର୍ମା ବୋଲି ଜଣାପଡିଛି। ଗତ ବୁଧବାର ଦିନ ରାଜସ୍ଥାନର ରିଥାଲାଇ ଶିବ ମାର୍ଗରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କ ବେକରେ ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ହତ୍ୟା କରାଯାଇଥିଲା। ସେତେବେଳେ ପୋଲିସ ସ୍ବାମୀ ଦେବେନ୍ଦ୍ରଙ୍କୁ ଖୋଜୁଥିଲେ ମଧ୍ୟ ସେ ଫେରାର ଥିଲେ। ହେଲେ ଆଜି ତାଙ୍କର ମୃତ ଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ଜିଲ୍ଲା ପୋଲିସ ଅଧୀକ୍ଷକ କବିଚନ୍ଦ୍ର ସିଂ କହିଛନ୍ତି ଯେ ବୁଧବାର ରାତିରେ 37 ବର୍ଷୀୟ ନିତୁ ଶର୍ମା, ତାଙ୍କ ପୁଅ 13 ବର୍ଷର ଆର୍ଯ୍ୟନ୍ ଏବଂ 15 ବର୍ଷର ଝିଅ ଶ୍ୱେତାଙ୍କୁ ରିଥାଲାଇ ଶିବ ମାର୍ଗରେ ହତ୍ୟା କରାଯାଇଥିଲା। ଏହା ପରେ ମହିଳାଙ୍କ ସ୍ୱାମୀ ଦେବେନ୍ଦ୍ର ଶର୍ମା ଫେରାର ହୋଇଯାଇଥିଲେ। କିନ୍ତୁ ଶୁକ୍ରବାର ସକାଳେ ଦେବେନ୍ଦ୍ରଙ୍କ ମୃତଦେହ ସହରର ଡିଆଲାବ ପୋଖରୀରୁ ମିଳିଥିଲା। ପୋଲିସ ତାଙ୍କ ପରିବାର ଲୋକଙ୍କୁ ଡାକି ମୃତଦେହ ଚିହ୍ନଟ କରିଛି। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦେବେନ୍ଦ୍ର ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ରାଜସ୍ଥାନର ଝୋଲପୁରର ମେହେନ୍ଦ୍ରପୁର ନିବାସୀ ଦେବେନ୍ଦ୍ର ଶର୍ମା ବୃତ୍ତିରେ ଡ୍ରାଇଭର ଥିଲେ। ସେ ପରିବାର ସହିତ ଚାରି ବର୍ଷ ଧରି ଏକ ଭଡା ଘରେ ରହୁଥିଲେ। ଗୁରୁବାର ସକାଳେ ପତ୍ନୀ ନିତୁ ଶର୍ମା, ଝିଅ ଶ୍ୱେତା ଏବଂ ପୁଅ ଆର୍ଯ୍ୟନଙ୍କ ମୃତଦେହ ମିଳିଥିଲା। ପୋଲିସ ଘରୁ ଏକ ଛୁରୀ ମଧ୍ୟ ଉଦ୍ଧାର କରିଥିଲା। ଦୁଇ ପିଲାମାନଙ୍କୁ ଏତେ ନିର୍ଦ୍ଦୟ ଭାବରେ ହତ୍ୟା କରାଯାଇଥିଲା ଯେ ରକ୍ତ ସମଗ୍ର କୋଠରୀ ଭାସୁଥିଲା। ଏହି ମାମଲାରେ ସ୍ୱାମୀ ଦେବେନ୍ଦ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା।  ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ତାହା ଜଣାପଡି ନାହିଁ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚାଞ୍ଚଲ୍ୟକର ହତ୍ୟାକାଣ୍ଡ, ବାପାକୁ ଲୁହା ଡାଲିଚଟୁରେ ପିଟିପିଟି ହତ୍ୟାକଲା ଝିଅ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ, ଆଜି ଅପରାହ୍ନରେ ଭୋପାଳରେ ଏକ ଚାଞ୍ଚଲ୍ୟକରଣ ହତ୍ୟାକାଣ୍ଡ ଘଟିଯାଇଛି। ଏଥିରେ ନିଜ ଝିଅ ବାପାଙ୍କୁ ଏକ ଲୁହା ଡାଲିଚଟୁରେ ପିଟିପିଟି ହତ୍ୟା କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଝିଅକୁ ଗିରଫ କରିବା ସହ  ଡାଲିଚଟୁକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଭୋପାଳ ସହରର 45 ବର୍ଷିୟ ଭ୍ରମରଲାଲ ସବୁଦିନ ଘରକୁ ମଦପିଇ ଆସନ୍ତି। ନିଜପତ୍ନୀ ଏବଂ ପୁଅଝିଅ ସହିତ ମାରପିଟ କରନ୍ତି। ଏପରିକି ତାଙ୍କ ପତ୍ନୀଙ୍କୁ ବହୁବାର ଆକ୍ରମଣ ମଧ୍ୟ କରିଛନ୍ତି। ଏ ସବୁ ତାଙ୍କ 14 ବର୍ଷ ଝିଅ ସମ୍ଭାଳିପାରୁ ନ ଥିଲା। ହେଲେ ଆଜି ଅପରାହ୍ନରେ ଭ୍ରମରଲାଲଙ୍କ ଏହି ଅତ୍ୟାଚାର ସୀମା ଟପିଯାଇଥିଲା।

ଭ୍ରମରଲାଲ ସବୁଦିନ ପରି ମଦପିଇ ଘରକୁ ଆସିବା ପରେ ସେ ପୁଅର ବାହାଘର ନେଇ ସମସ୍ତଙ୍କୁ ଥଟ୍ଟା କରିଥିଲେ। ଯାହାକୁ ନେଇ ଝିଅ ଓ ତାଙ୍କ ପତ୍ନୀ ଉତକ୍ଷିପ୍ତ ହୋଇ ଉଠିଥିଲେ। ଏପରି ଭାଷାରେ କଥାବାର୍ତ୍ତା ନ କରିବା ପାଇଁ ଝିଅ ତାଗିଦ କରିଥିଲା। ହେଲେ ବାପା ଶୁଣିଲେ ନାହିଁ। ପରିସ୍ଥିତି ଭୟଙ୍କର ହୋଇପଡିବାରୁ ରାଗରେ ଝିଅ ନିକଟରେ ଥିବା ଏକ ଶକ୍ତ ଲୁହାର ଡାଲିଚଟୁ ଆଣି ବାପାର ମୁଣ୍ଡରେ ବାରମ୍ବାର ଆଘାତ କରିଥିଲା। ଫଳରେ ଘଟଣାସ୍ଥଳରେ ଭ୍ରମରଲାଲାଙ୍କ ମୃତ୍ୟୁ ହୋଇଥିଲା। ପୁଅ ଭୋପାଳ ସହରରୁ ଦୂରରେ ଏକ ବ୍ୟବସାୟ କରନ୍ତି। ସେ ଘଟଣା ସଂପର୍କରେ ଜାଣିବା ପରେ ଘରେ ଆସି ପହଁଚିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର : ସାମନ୍ତରାପୁରରେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ ହୋଇଛି । ରାସ୍ତା ଉପରେ ଗୋଡେଇ ଗୋଡେଇ ମାରଣାସ୍ତ୍ରରେ ହତ୍ୟା ହୋଇଥିବାର ଅଭିଯୋଗ ହୋଇଛି । ମୃତକ ଜଣକ ଜଣେ ମିଠା ଦୋକାନୀ ହୋଇଥିବାବେଳେ ତାଙ୍କ ନା ଜମ୍ବୁ ବୋଲି ସୂଚନା ରହିଛି । ଆକ୍ରମଣ କରିଥିବା ଯୁବକ ଜଣକ ଜଣେ ମିଠା ଦୋକାନୀ ବୋଲି ସୂଚନା ରହିଛି । ଉକ୍ତ ଯୁବକଙ୍କ ନାମ ଦିଲୁ ବୋଲି ସୂଚନା ରହିଛି । ତେବେ ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ଉତ୍ତ୍ୟକ୍ତ ଲୋକେ ପୁରୀ-ଭୁବନେଶ୍ବର ରାସ୍ତା ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ୍‌ ପହଞ୍ଚି ବୁଝାସୁଝା କରିଥିବାର ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

କୁଚିଣ୍ଡାରେ ଡବଲ ମର୍ଡର : 4 ବର୍ଷର ଶିଶୁ ପୁତ୍ର ସହ ବଡଭାଇର ହତ୍ୟା କଲା ସାନଭାଇ

କୁଚିଣ୍ଡା : କୁଚିଣ୍ଡା ଗୋବିନ୍ଦପୁର ଥାନା ତାଳଡିହି ଗାଁରେ ଡବଲ ମର୍ଡର ଘଟିଯାଇଛି । ବଡଭାଇ ଓ ପୁତୁରାକୁ ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ ଭାଉଜ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ବିଳମ୍ବିତ ରାତ୍ରିରେ ଘରେ ପଶି ସାନ ଭାଇ ଆକ୍ରମଣ କରିଥିବାର ସୂଚନା ମିଳିଛି ।  4 ବର୍ଷର ଶିଶୁ ପୁତ୍ର ସହ ବଡଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଶିଶୁପୁତ୍ର ସହ ବଡଭାଇଣ ମୃତ୍ୟୁ ହୋଇଛି । ଅଙ୍ଗନଓ୍ବାଡି ପାଇଖାନା ଟାଙ୍କିରୁ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଭାଉଜଙ୍କ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ସୁନ୍ଦରଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମେସ୍ତ ଶୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ ଅଭିଯୁକ୍ତ ସାନ ଭାଇକୁ ପୋଲିସ୍‌ ଥାନାରେ ଅଟକ ରଖିଥିବାବେଳେ ତଦନ୍ତ ଜାରି ରଖିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମା’ ଓ ଝିଅଙ୍କ ହତ୍ୟା କରି ଘରେ ପୋତି ଦେଇଥିଲା ଆସାମୀ

ମିରଟ୍, ଏକ ଲୋମହର୍ଷଣକାରୀ ଘଟଣା। ଜଣେ ମହିଳା ଓ ତାର 10 ବର୍ଷର ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ଦୁଇ ମୃତଦେହକୁ ନିଜ ଘରେ ପୋତି ସେଠାରେ ନିର୍ବିଘ୍ନରେ ବାସ କରୁଥଲା। ଏହି ଘଟଣା ପ୍ରାୟ ଚାରି ମାସ ତଳର ଅର୍ଥାତ ମାର୍ଚ୍ଚ 28ର।

ଶାମସାଦ ନାମକ ଅଭିଯୁକ୍ତ ସହିତ ମହିଳା ଜଣଙ୍କର ଲିଭ୍-ଇନ୍ ସମ୍ପର୍କ ରହିଥିଲା। ଜୁଲାଇ 14ରେ ପୀଡିତା ମହିଳାଙ୍କର ଜଣେ ବନ୍ଧୁଙ୍କ ଠାରୁ ସେ ନିଖୋଜ ଥିବା ଖବର ପାଇଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ଶାମସାଦ ଘର ହତାରୁ ଦୁଇ ଜଣଙ୍କର କଙ୍କାଳ ଉଦ୍ଧାର କରିବା ପରେ ଘଟଣାର ରହସ୍ୟ ପଦାକୁ ଆସିଥିଲା।

ପାର୍ତ୍ତପୁର ଅଞ୍ଚଳରେ ଶାମସାଦଙ୍କ ସହିତ ବାନ୍ଧବୀ ମହିଳା ତାର ପୂର୍ବ ସ୍ବାମୀଠାରୁ ଜାତ ଝିଅ ସହିତ ପ୍ରାୟ 4 ବର୍ଷ ହେଲା ରହି ଆସୁଥିଲା। ବର୍ଷେ ହେଲା ଶାମସାଦ ମହିଳା ଜଣଙ୍କୁ ତାର ଧର୍ମ ପରିବର୍ତ୍ତନ କରିବାକୁ ଚାପ ଦେଇ ଆସୁଥିଲା। ହେଲେ ଏହାକୁ କେନ୍ଦ୍ର କରି ବିବାଦରୁ ଶାମସାଦ ଏଭଳି ନାରକୀୟ ଘଟଣା ଘଟାଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାଆକୁ ପିଟି ପିଟି ହତ୍ୟା କଲା ପୁଅ

ରେଢାଖୋଲ : ଜଣେ ମା’ ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ ତାର ସନ୍ତାନକୁ। ହେଲେ ବଡ ହେଲା ପରେ ଜନ୍ମିତ ମାକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ଟାଙ୍କୁରି ଉଠେ । ସେମିତି ଏକ ଘଟଣା ଘଟିଛି କିଶୋରନଗର ଅଂଚଳରେ । ନିଜର ଜନ୍ମିତ ମାକୁ ପିଟିପିଟି ହତ୍ୟା କରିବା ଭଳି ଘଟଣା ସମଗ୍ର କିଶୋର ନଗର ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ କିଶୋରନଗର ଥାନା ଉଷକାପାଲି ପଂଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଏହି ଗ୍ରାମର ଜଣେ 70 ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କର ସାନ ପୁଅ ଠେଙ୍ଗାରେ ପିଟି ପିଟି ବୁଢୀ ମାଆକୁ ଜୀବନରୁ ମାରି ଦେଇଛି । ଘରୋଇ କଳିରୁ ମଦୁଆ ପୁଅ ଜଣକ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ବୋଲି ସୂଚନା ରହିଛି ।

ମୃତ ବୃଦ୍ଧାଙ୍କ ନାମ ଅନ୍ନପୂର୍ଣ୍ଣା ବେହେରା ହୋଇଥିବାବେଳେ ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ସାନ ପୁଅ ଆର୍ତ୍ତତ୍ରାଣ ବେହେରା । ଗତକାଲି ସଂଧ୍ୟାରେ ଅନ୍ନପୂର୍ଣାଙ୍କ ସାନପୁଅ ଆର୍ତତ୍ରାଣ ବେହେରା ଅତ୍ୟଧିକ ମଦ୍ୟପାନ କରି ଘରକୁ ସଂଧ୍ୟାରେ ଆସି କୌଣସି କଥାକୁ ନେଇ ବୁଢୀ ମାକୁ ଏକ ଠେଙ୍ଗାରେ ପିଟିପିଟି ରକ୍ତାକ୍ତ କରିଦେଇଥିଲା । ଗୁରୁତର ଅବସ୍ଥାରେ ବୁଢୀମାଆକୁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁଢୀ ମାଆର ମୃତ୍ୟୁ ହୋଇଛି ।  ତେବେ ଅଭିଯୁକ୍ତ ଜଣକ ଫେରାର୍‌ ରହିଥିବାବେଳେ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Categories
ଅପରାଧ ଆଜିର ଖବର ଆଞ୍ଚଳିକ

କିସିଣ୍ଡା ଥାନା ଅଂଚଳରେ ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ : ଟାଙ୍ଗିଆରେ ହାଣି ଗିରଫ ହେଲା ଅଭିଯୁକ୍ତ

କନ୍ଦର୍ପ ବେହେରା
ରେଢାଖୋଲ: ଟଙ୍କା ଧାରକୁ  କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟି ଚାଂଚଲ୍ୟ ସୃଷ୍ଟି କରିଛି କିସିଣ୍ଡା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ଖନ୍ଦିବାହାଳ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।  ଗତ କାଲି ରାତି ପ୍ରାୟ ପାଖାପାଖି ୮ ଟାରେ ଖନ୍ଦିବାହାଳ ଗ୍ରାମର ଭୀମସେନ୍ ସ୍ୱାଇଁ(୫୦) ନିଜ ଘର ସାମ୍ନାରେ ଲଙ୍କମରିଚ ତୋଳୁଥିବା ସମୟରେ ସେହି ଗ୍ରାମର ଗୌତମ ମାଝୀ ନାମକ ଜଣେ ଯୁବକ ଅଚାନକ ଟାଙ୍ଗିଆରେ ତାର ବେକକୁ ୪ ରୁ ୫ ଚୋଟ ମାରି ଦେଇ ଫେରାର ହୋଇଥିଲା। ଘଟଣା ସ୍ଥଳରେ ଭୀମସେନ ର ମୃତ୍ୟୁ ହୋଇଯାଇଥିଲା ବୋଲି ନାକ୍ଟିଦେଉଳ ଥାନାଧୀକାରୀ ଚିତରଂଜନ ନାଏକ ପ୍ରକାଶ କରିଛନ୍ତି।

ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଭୀମସେନକୁ ଟାଙ୍ଗିଆରେ ହତ୍ୟା କରିଥିବା ସ୍ୱୀକାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ମୃତ ଭୀମସେନ ସ୍ୱାଇଁ ଗୌତମ ଠାରୁ ଟଙ୍କା ଉଧାରିରେ ନେଇଥିଲା । ଗୌତମ ବାରମ୍ବାର ମାଗିବାରୁ ଦେଇ ନଥିଲା। ମୃତ ଭୀମସେନ୍ କାଳେ ଗୌତମକୁ ମାରି ଦେବ ସେ ଭୟରେ ହତ୍ୟା କରିଥିବା ପୋଲିସ୍ ଆଗରେ ଅଭିଯୁକ୍ତ ପ୍ରକାଶ କରିଛି ।

ଅପରପକ୍ଷରେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ଭୀମ ସେନର ଶବ ତାଘର ସମ୍ମୁଖରେ ପଡିରହିଛି । ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି
ଆଜି ଶବ ବ୍ୟବଚ୍ଛେଦ ହେବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି କିସିଣ୍ଡା ଥାନାଧୀକାରୀ ଚିତରଂଜନ ନାଏକ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।